Unknown

 

 

 

 

 

 

 

 

 

ଗରିଲା

ଶ୍ରୀ ଉଦୟନାଥ ଷଡ଼ଙ୍ଗୀ

 

Image

–୧–

 

ପୃଥିବୀର ସବୁ ଜୀବଜନ୍ତୁଙ୍କ ଭିତରେ ବଡ଼ ଜନ୍ତୁ ସିନା ହାତୀ; କିନ୍ତୁ ସବୁଠାରୁ ବେଶି ବଳୁଆ ହେଉଛି ଗରିଲା ।

 

ଗରିଲା ମାଙ୍କଡ଼ ଜାତୀୟ ଜୀବ; ମାତ୍ର ଏହାକୁ ‘ବଣମଣିଷ’ କୁହାଯାଏ । କାରଣ ଏହାର ଗଢ଼ଣ କେତେକ ପରିମାଣରେ ମଣିଷ ଦେହର ଗଢ଼ଣ ପରି । ଅନ୍ୟାନ୍ୟ ପଶୁ ଅପେକ୍ଷା ଏମାନଙ୍କର ବୁଦ୍ଧି ବେଶୀ ।

 

ଚାରି ପ୍ରକାର ଜନ୍ତୁଙ୍କୁ ‘ବଣମଣିଷ’ କୁହାଯାଇଥାଏ; ଗରିଲା, ଗିବନ, ଶିପାଞ୍ଜି ଓ ଓରାଂଉଟାଂ । ଏମାନଙ୍କ ଭିତରେ ଗରିଲା ସବୁଠାରୁ ବଡ଼, ବେଶି ବଳୁଆ ଓ ଅତି ଭୀଷଣ ।

 

ଗରିଲା କେବଳ ଆଫ୍ରିକା ଦେଶର ମଧ୍ୟଭାଗରେ ଥିବା ଜଙ୍ଗଲରେ ବାସ କରନ୍ତି । ସେ ଜଙ୍ଗଲ ଏପରି ନିବିଡ଼ ଯେ, ତା ଭିତରକୁ କେବେ ହେଲେ ସୂର୍ଯ୍ୟକିରଣ ପଡ଼େ ନାହିଁ । ସେ ଜଙ୍ଗଲ ମଧ୍ୟକୁ ଯିବା ସାଧାରଣ ଲୋକଙ୍କ ପକ୍ଷରେ ଅସମ୍ଭବ ।

 

ତେଣୁ ହଜାର ହଜାର ବର୍ଷ ହେଲା ଗରିଲା ବଂଶ ରହିଥିଲେ ମଧ୍ୟ ଏବେ କେବଳ ତିନି ଶହ ବର୍ଷ ହେଲା ଲୋକେ ତାକୁ ଦେଖିଲେ ଓ ତା କଥା ଜାଣିଲେ ।

 

ପୁରୁଷ ଗରିଲା ସାଢ଼େ ଚାରି ହାତ ଯାଏ ଉଚ୍ଚ ହୁଏ । ଏହାର ଦେହର ଓଜନ ପାଞ୍ଚ ମହଣ ପର୍ଯ୍ୟନ୍ତ । ସ୍ତ୍ରୀ ଗରିଲା ପୁରୁଷ ଗରିଲା ଅପେକ୍ଷା ସାନ, ତାହାର ବଳ ମଧ୍ୟ କମ୍ ।

 

ଗରିଲାର ପଛ ଦୁଇ ଗୋଡ଼ ଅପେକ୍ଷା ଆଗ ଦୁଇ ଗୋଡ଼ ଖୁବ୍ ବଡ଼ । ଏ ଦୁଇଟାକୁ ହାତ କୁହାଯାଏ । ଆମେ ହାତରେ ଯେପରି କାମ କରୁ, ଗରିଲା ଏହି ଆଗ ଦୁଇ ଗୋଡ଼ରେ ସେହିପରି ସବୁ କାମ କରେ । ଗରିଲା ଚାରି ଗୋଡ଼ରେ ଚାଲେ । ମାତ୍ର ବେଳେବେଳେ ଆମ ପରି ଦୁଇ ଗୋଡ଼ରେ ମଧ୍ୟ ଚାଲେ ବା ଦଉଡ଼ି ପଳାଏ । ସେତେବେଳେ ତାର ହାତ ଦୁଇଟା ତଳେ ମାଟିରେ ଲାଗୁଥାଏ । ସେ କିନ୍ତୁ ସିଧା ଭାବରେ ଆମ ଭଳି ଠିଆ ହୋଇପାରେ ନାହିଁ । ତା ହାତ ଓ ଗୋଡ଼ ଆଙ୍ଗୁଠିଗୁଡ଼ିକ ଖୁବ୍ ଲମ୍ବା ଓ ମୋଟା; ବୁଢ଼ା ଆଙ୍ଗୁଠିଗୁଡ଼ିକ କେବଳ ଅତି ସାନ ।

 

ସବୁ ପଶୁଙ୍କର ସାନ ହେଉ ବା ବଡ଼ ହେଉ ଲାଙ୍ଗୁଡ଼ ଅଛି; କିନ୍ତୁ ବଣମଣିଷଙ୍କର ଲାଙ୍ଗୁଡ଼ ନ ଥାଏ; ଗରିଲାର ବି ନାହିଁ ।

 

ଗରିଲାର ଦେହଯାକ ଖୁବ୍ ବହଳ କଳା ରଙ୍ଗର ଲୋମ ଥାଏ । ଏହାର ଚେହେରା ବଡ଼ କୁତ୍ସିତ ଦେଖାଯାଏ । ପ୍ରକାଣ୍ଡ ଦେହ; ମୁହଁଟା ତା ତୁଳନାରେ ଟିକିଏ ସାନ, ପୁଣି ଅତି କଳା ଆଖିପତାର ହାଡ଼ ଦୁଇଟା ଉପରକୁ ଉଠି ଆସିଥାଏ; ତେଣୁ ଆଖି ଯୋଡ଼ାକ କୋରଡ଼ ପରି ଦେଖାଯାଏ । ନାକ ମୋଟା ଓ ଚେପ୍‌ଟା । ଓଠଟା ତଳକୁ ଓହଳି ପଡ଼ିଥାଏ । କାନ ଦୁଇଟି ସାନସାନ । ପାଟିରେ ବାଘ ଦାନ୍ତ ପରି ବଡ଼ ବଡ଼ ମୁନିଆଁ ଦାନ୍ତ ।

 

ଗରିଲାର ବଳ ଅସାଧାରଣ । ସିଂହ, ବାଘ, ହାତୀ ସବୁ ଜନ୍ତୁ ଗରିଲାକୁ ପ୍ରାଣପଣେ ଭୟ କରନ୍ତି । ହାବୁଡ଼ରେ ପଡ଼ିଲେ ଗରିଲା ଏକାବେଳକେ ଦୁଇଟା ମହାବଳ ବାଘ ଦୁଇ ହାତରେ ଜାକି ଅକ୍ଳେଶରେ ମାରିଦେବ । ସେ ଚାପଡ଼ା ବା ମୁଥ ମାରି ହାତୀ ମୁହଁରେ ଦାନ୍ତ ଝଡ଼ାଇଦେବ ।

 

ଏପରି ଭୟଙ୍କର ହେଲେ ମଧ୍ୟ ଗରିଲା ବାଘ, ସିଂହଙ୍କ ପରି ହିଂସ୍ର ନୁହେ, ସେ ନିରୀହ; କିନ୍ତୁ ଯେତେବେଳେ ଜାଣେ ଯେ, ତା ଉପରକୁ କିଛି ବିପଦ ଆସିବ, ସେତେବେଳେ ସେ ଭୀଷଣ ହୋଇଉଠେ ।

 

ବଣର ଫଳମୂଳ, କଅଁଳ ପତ୍ର, ଛୋଟ ଗଛର ଅଗ ପ୍ରଭୃତି ଖାଇ ଗରିଲା ବଞ୍ଚେ । ସମୟ ସମୟରେ କୀଟପତଙ୍ଗ ବା ଛୋଟ ଛୋଟ ଚଢ଼େଇ ମଧ୍ୟ ଖାଏ ।

 

ଗରିଲାସବୁ ଦଳ ବାନ୍ଧି ବଣ ଭିତରେ ରହନ୍ତି । ଗୋଟିଏ ଗୋଟିଏ ଦଳରେ ଚାଳିଶ ପଚାଶଟି ପର୍ଯ୍ୟନ୍ତ ଗରିଲା ଥାଆନ୍ତି । ଏହି ଦଳଗୁଡ଼ିକ ଗୋଟିଏ ଗୋଟିଏ ଉପଦଳ ବା ଛୋଟ ଦଳରେ ବିଭକ୍ତ ହୋଇଥାଏ । ଏହି ଛୋଟ ଦଳରେ ଗୋଟିଏ ପୁରୁଷ ଗରିଲା, ଗୋଟିଏ ସ୍ତ୍ରୀ ଗରିଲା ଓ ଗୋଟିଏ ବା ଦୁଇଟି ଛୁଆ ରହିଥାଆନ୍ତି ।

 

ଗରିଲାଦଳ ବଣର ଗୋଟିଏ ସ୍ଥାନରେ ଥୟ ହୋଇ ରହନ୍ତି ନାହିଁ । ପ୍ରତିଦିନ ସେମାନେ ରହିବା ସ୍ଥାନ ବଦଳାଉଥାଆନ୍ତି; ଦିନଯାକ ଗଛଉପରେ ବା ବଣଭିତରେ ବୁଲି ଖିଆପିଆ କରନ୍ତି । ରାତି ହେଲେ ଗଛଉପରେ ଚୁପ୍ ହୋଇ ଶୋଇ ରହନ୍ତି । ବଡ଼ ଝଙ୍କାଳିଆ ଗଛର ଅଗରେ ବହୁତଗୁଡ଼ିଏ ଡାଳ ଛନ୍ଦାଛନ୍ଦି କରି ତା ଉପରେ ଡାଳ ପତର ବିଛାଇ ଦିଆଯାଏ । ସେଥିରେ ସ୍ତ୍ରୀ ଗରିଲା ଓ ପିଲାମାନେ ଆରାମରେ ଶୁଅନ୍ତି । ସେହି ଗଛର ମୂଳରେ ସେହିପରି ଡାଳପତ୍ରର ବିଛଣା କରି ପୁରୁଷ ଗରିଲା ସ୍ତ୍ରୀ ପିଲାଙ୍କୁ ଜଗି ଶୁଏ ।

 

ଗରିଲାସବୁ ଏ ଗଛରୁ ସେ ଗଛକୁ ଡେଇଁଡେଇଁ କୋଶେ ଦେଢ଼ କୋଶ ବାଟ ଏକାଥରକେ ଚାଲିଯାଆନ୍ତି । ଗଛଉପରେ ତାଙ୍କର ଅଧିକାଂଶ ସମୟ କଟେ । ନିତାନ୍ତ ଦରକାର ନ ପଡ଼ିଲେ, ସେମାନେ ତଳକୁ ଆସନ୍ତି ନାହିଁ ।

 

ଗରିଲା ରାଗିଗଲେ, ତା ଦୁଇ ହାତରେ ନିଜ ଛାତିକୁ ବାଡ଼ାଏ । ସେ ଶବ୍ଦ ଢୋଲ ବା ମାଦଳ ବାଜିଲା ପରି ଶୁଣାଯାଏ । ସେହି ଶବ୍ଦ ଶୁଣିଲେ ମଣିଷ କିମ୍ବା ସିଂହ ବାଘଙ୍କର ଗୋଡ଼ ଅଚଳ ହୋଇଯାଏ, ଦେହର ରକ୍ତ ଥଣ୍ଡା ହୋଇଆସେ ।

 

ଗରିଲାର ଗର୍ଜନ ମଧ୍ୟ କମ୍ ନୁହେ । ଥରେ ସେ ଗର୍ଜନ କଲେ, ବଣର ପାଞ୍ଚକୋଶ ପର୍ଯ୍ୟନ୍ତ ଥରିଉଠିବ ।

 

ଗରିଲାଗୁଡ଼ିକ ଚାଳିଶ ବର୍ଷ ପର୍ଯ୍ୟନ୍ତ ବଞ୍ଚନ୍ତି ବୋଲି ହିସାବ କରାଯାଇଛି; କିନ୍ତୁ ବଣରୁ ଧରିଆଣି ପୋଷିଲେ ଅଳ୍ପଦିନେ ମରିଯାଆନ୍ତି ।

 

ଆଫ୍ରିକା ବଣଭିତରେ ଏପରି ଗୋଟାଏ ବଳୁଆ ଜନ୍ତୁ ଅଛି, ଏ କଥା ଆଗେ କେହି ଜାଣି ନ ଥିଲେ । ପ୍ରଥମେ ୧୬୯୮ ଖ୍ରୀଷ୍ଟାବ୍ଦରେ ଜଣେ ଇଂରେଜ ବନ୍ଦୀ ଏହା ସାଧାରଣରେ ପ୍ରକାଶ କଲେ । ତାଙ୍କୁ ଦ୍ୱୀପାନ୍ତର ଦଣ୍ଡ ଦିଆଯାଇଥିଲା । ସେ ଆଫ୍ରିକା ବଣରେ ବୁଲୁ ବୁଲୁ ଗରିଲା ଦେଖିଲେ । ସେ ଲେଖିଛନ୍ତି, ‘‘ମୁଁ ପ୍ରଥମେ ଏହି ଅଦ୍ଭୁତ ଆଉ ଭୟଙ୍କର ଜନ୍ତୁକୁ ଦେଖିଲାକ୍ଷଣି ମୋ ଦେହର ରକ୍ତ ଚଳାଚଳ ବନ୍ଦ ହୋଇଗଲା ପରି ଜଣାଗଲା । ଆଫ୍ରିକାର ଜଙ୍ଗଲୀ ଲୋକେ ଏହାକୁ ରାକ୍ଷସ ବୋଲି କହନ୍ତି । ଏହା ଦୁଇଗୋଡ଼ରେ ବଙ୍କେଇ ବଙ୍କେଇ ଚାଲୁଥିଲା—ମଣିଷଙ୍କଠାରୁ ବେଶି କିଛି ଫରକ ଜଣାପଡ଼ୁ ନ ଥିଲା । କିନ୍ତୁ ମଣିଷଙ୍କ ପରି କଥା କହିପାରେ ନାହିଁ କି ଅନ୍ୟର କଥା ବୁଝିପାରେ ନାହିଁ । ବଣଭିତରେ ପ୍ରତିବର୍ଷ ବହୁସଂଖ୍ୟକ ନିଗ୍ରୋଲୋକ ଏହାଙ୍କଦ୍ୱାରା ମରନ୍ତି । ଏପରି କି ସମୟ ସମୟରେ ସେ ବଣକୁ ହାତୀଦଳ ଆସିଲେ, ଗରିଲା ଗଛଉପରୁ କୁଦି ତା ପିଠିରେ ବସିପଡ଼େ । ହାତରେ ମୁଥ ମାରେ ବା ଗଛଡ଼ାଳ ଭାଙ୍ଗିଆଣି ଏପରି ପିଟେ ଯେ, ଅନ୍ତତଃ ଗୋଟାଏ ଦୁଇଟା ହାତୀ ମରିଯାଆନ୍ତି, ବାକି ସମସ୍ତେ ଛିନ୍ନଛତ୍ର ହୋଇ ପଳାନ୍ତି ।’’

 

–୨–

 

ଲଣ୍ଡନରେ ଜଣେ ସ୍ତ୍ରୀଲୋକ ଗୋଟିଏ ଗରିଲା ପୋଷିଥିଲେ । ଜନ୍ମ ହେବା ଦିନଠାରୁ ସେ ଧରାହୋଇ ବଣରୁ ଆସିଥିଲା । ତାର ନାମ ଦିଆଯାଇଥିଲା ଜନ୍ ଡାନିଏଲ । ଜନ୍ ସେ ପରିବାରରେ ଜଣେ ଲୋକପରି ଚଳୁଥିଲା । ତା ପାଇଁ ଗୋଟିଏ ସ୍ୱତନ୍ତ୍ର ଘର ଥାଏ । ସେ ଘରେ ବିଛଣା ବିଛାଇଦେଲେ, ସେ ଯାଇ ସେଥିରେ ଶୁଏ । ସକାଳ ହେଲେ, ଯଦି କେହି ଉଠି ନ ଥାନ୍ତି, ତେବେ ସେ ଉଠି ଆସି ସମସ୍ତଙ୍କ ଘରର କବାଟ ବାଡ଼ାଏ; ନ ହେଲେ ନିଜର ସ୍ୱଭାବସୁଲଭ ଗର୍ଜନ ଛାଡ଼େ ।

 

ଖାଇବା ସମୟ ହେଲେ ସମସ୍ତଙ୍କ ଆଗରୁ ସେ ଯାଇ ଖାଇବା ଟେବୁଲ ପାଖରେ ହାଜର ହୋଇଯାଏ । ତାହାର ନିର୍ଦ୍ଦିଷ୍ଟ ଚଉକିରେ ବସେ । ତା ପାଇଁ କେବଳ ଫଳ, ମୂଳ ଓ ରୁଟି ଅଲଗା ଥୁଆ ହୋଇଥାଏ, ତାହା ଖାଏ । ଦିନକୁ ଦେଢ଼ ସେର ଯାଏ ଦୁଧ ଓ ପାଣି ସେ ପିଏ ।

 

ତାକୁ କୁତ୍‌କୁତ୍ କଲେ ସେ ଖୁବ୍ ହସେ । ଟିକିଏ ଭୟ ପାଇଲେ ଗର୍ଜନ ଛାଡ଼େ—ହକ୍‌ହକ୍-। ସେତେବେଳେ ସେ କୌଣସି ଗୋଟିଏ ସ୍ଥାନରେ ସ୍ଥିର ହୋଇ ନ ରହି ଖାଲି ଡିଆଁମାରେ-

 

ସାମାନ୍ୟ ପୋକଯୋକଟିଏ ଦେଖିଲେ ଭୟରେ ଛାନିଆଁ ହୋଇଯାଏ—ମଣିଷ ହଠାତ୍ ସାପଟାଏ ଦେଖିଲେ ଯେପରି ହୁଅନ୍ତି । ସେତେବେଳେ ସେ ପାଖରେ ଯାହାକୁ ଦେଖେ ତାହା କାନ୍ଧଉପରକୁ ଡେଇଁପଡ଼େ ।

 

ସେ ଦୁଇ ବର୍ଷ ଯାଏ ବଞ୍ଚି ରହିଥିଲା ଓ ମୋଟେ ଅଢ଼େଇହାତ ଉଚ୍ଚ ହୋଇଥିଲା । ବଣରେ ରହିଥିଲେ ଅନ୍ତତଃ ଚାଳିଶ ବର୍ଷ ବଞ୍ଚିଥାଆନ୍ତା; ଚାରି ହାତ ଯାଏ ଉଚ୍ଚ ହୋଇଥାଆନ୍ତା ।

ଜନ୍ ମରିଗଲା ପରେ ଯେଉଁ ସ୍ତ୍ରୀଲୋକ ତାକୁ ପାଳିଥିଲେ, ସେ ତା ବିଷୟରେ ଗୋଟିଏ ବହି ଲେଖିଛନ୍ତି । ଦିନକର ଘଟଣାରୁ ତାର ବୁଦ୍ଧି କେତେ, ତାହା ଜଣାଯାଏ । ସେ ଲେଖିଛନ୍ତି—

ସେଦିନ ଗୋଟିଏ ନିମନ୍ତ୍ରଣରେ ମୋର ଯିବାର ଥିଲା । ମୁଁ ଘର ଛାଡ଼ି ଯେଉଁଠାକୁ ଯିବାକୁ ବସେ, ଜନ୍ ମୋ ଆଗେଆଗେ ସେଠାକୁ ବାହାରେ; ତେଣୁ ବାଧ୍ୟ ହୋଇ ମୁଁ ତାକୁ ସବୁ ସ୍ଥାନକୁ ସାଙ୍ଗରେ ନିଏ । ନ ନେଲେ ସେ ଛୋଟ ପିଲାଙ୍କ ପରି ଏତେ ଅଳିକରେ ଯେ, ନ ନେଇ ମୁଁ ଆଉ ଥୟ ହୋଇ ରହିପାରେ ନାହିଁ । କେତେକ ବାଟ ସେ ସାଙ୍ଗେସାଙ୍ଗେ ଗୋଡ଼ାଇଯାଏ, ଆଉ କେତେକ ବାଟ ମୁଁ ତାକୁ କାନ୍ଧରେ ବସାଇ ନେଇଯାଏ ।

ସେଦିନ ଜଣେ ବନ୍ଧୁଙ୍କର ବିଭାଘର ନିମନ୍ତ୍ରଣ । ସେଠାକୁ ବହୁତ ଲୋକ ଆସିବେ । ତେଣୁ ମୁଁ ମୋର ସବୁଠାରୁ ଦାମିକା ପୋଷାକଟି ପିନ୍ଧିଲି—ପତଳା ଶିଲ୍‌କ ଲୁଗାର ସେ ପୋଷାକ ।

ମୋର ସ୍ୱାମୀ ଓ ଭଉଣୀ ମୋ ସାଙ୍ଗରେ ଥାଆନ୍ତି । ଆମେ ସଜବାଜ ହୋଇ ବାହାରିଲାରୁ ଜନ୍ ମଧ୍ୟ ଦଉଡ଼ିଆସି ମୋ ଗୋଡ଼ ଧରି ଠିଆହେଲା । ମୋ ସ୍ୱାମୀ କହିଲେ, ‘‘ତାକୁ ସାଙ୍ଗରେ ନିଅ ନାହିଁ । ତୁମ କାନ୍ଧରେ ବସିଲେ, ଏ ସୁନ୍ଦର ପୋଷାକଟି ନଷ୍ଟ ହୋଇଯିବ ।’’

ସ୍ୱାମୀଙ୍କ କଥା ଯେ ଠିକ୍, ତାହା ମୁଁ ମଧ୍ୟ ଜାଣିପାରିଲି । ତେଣୁ ହାତ ଠାରି ତାକୁ ସାଙ୍ଗରେ ନେବି ନାହିଁ ବୋଲି ବୁଝାଇ ଦେଲି । ଆଉ ମଧ୍ୟ ମୋ କାନ୍ଧରେ ପୋଷାକ ଏବଂ ତା ପାଦ ଦେଖାଇ କହିଲି, ‘‘ମୋ ଲୁଗା ଅସନା ହୋଇଯିବ ।’’

ଜନ୍ ସେ କଥା ବୁଝିପାରିଲା । ସେ ମୋ ଗୋଡ଼ ପାଖରୁ ଚାଲିଗଲା । ଘରର ଟେବୁଲ ଉପରେ ଖଣ୍ଡେ ଖବରକାଗଜ ପଡ଼ିଥାଏ । ଜନ୍‍ ଟେବୁଲ ଉପରକୁ କୁଦିପଡ଼ି ସେ କାଗଜ ଖଣ୍ଡକ ଘେନି ଆସିଲା । ମୋ କାନ୍ଧ ଉପରକୁ ଉଠି ଆଗ ସେ କାଗଜ ବିଛାଇଦେଲା; ତା ଉପରେ ବସିରହିଲା ।

 

–୩–

 

ଆଫ୍ରିକା ଜଙ୍ଗଲରେ ଗରିଲା ଶିକାର କରିବା ଅତି କଷ୍ଟସାଧ୍ୟ ବ୍ୟାପାର । ନିବିଡ଼ ଜଙ୍ଗଲ–ଚାରିଆଡ଼ ଉଆଁସ ରାତି ପରି ଅନ୍ଧାର । ଗରିଲା ଆଠ ଦଶହାତ ଦୂରରେ ଥିଲେ ବି ଲକ୍ଷ୍ୟ ଠିକ୍ କରି ବର୍ଚ୍ଛା କି ଗୁଳି ମାରିବା ସମ୍ଭବ ନୁହେ ।

 

ତଥାପି ଆଫ୍ରିକା ଦେଶର ଜଙ୍ଗଲୀ ଲୋକେ ଗରିଲା ଶିକାର କରିବାକୁ ବେଶ୍‍ ପସନ୍ଦ କରନ୍ତି । ଗରିଲା ମାଂସ ସେମାନଙ୍କର ପ୍ରିୟ ଖାଦ୍ୟ । ଯେଉଁ ଲୋକ ଗୋଟିଏ ଗରିଲା ମାରିପାରେ, ସେ ସେମାନଙ୍କ ଭିତରେ ‘ମହାବୀର’ । ତାକୁ ସମସ୍ତେ ଆଦର କରନ୍ତି, ପୂଜା କରନ୍ତି । ଅବଶ୍ୟ ଗରିଲା ଶିକାର କରିବାକୁ ଯାଇ ଶହଶହ ଲୋକ ଗରିଲା ହାତରେ ମରନ୍ତି । ଯେଉଁମାନେ କୌଣସି ପ୍ରକାରେ ଗୋଟିଏ ଗରିଲା ମାରି ‘ମହାବୀର’ ବୋଲି ଖାତିର୍‍ ଓ ପୂଜାପାଆନ୍ତି, ସେମାନଙ୍କ ମଧ୍ୟରୁ ଅଧିକାଂଶ ବିଳକାଙ୍ଗ ଦେଖାଯାଆନ୍ତି । ଗରିଲା ବିଧାରେ କାହାର ହାତ ଗୋଟାଏ ଛିଡ଼ି ଯାଇଥାଏ, କାହାର ବା ଗୋଡ଼ ଭାଙ୍ଗିଥାଏ କିମ୍ବା କାହାର ମୁଣ୍ଡ ବଙ୍କା ହୋଇଯାଇଥାଏ ।

 

ଗରିଲା ହାବୁଡ଼ରେ ପଡ଼ି ବଣରୁ ଖୁବ୍ କମ ଶିକାରୀ ଫେରି ଆସିଛନ୍ତି । ଗରିଲା ଶିକାର କଲାବେଳେ ଯଦି ପ୍ରଥମ ଗୁଳିଟି ଦୈବାତ୍ ବାଜି ନ ପାରିଲା, ତେବେ ଦ୍ୱିତୀୟ ଗୁଳି ମାରିବାକୁ ଶିକାରୀ ଆଉ ସମୟ ପାଏ ନାହିଁ । ସାଙ୍ଗେସାଙ୍ଗେ ଗରିଲା ଆସି ତା ଉପରେ ଚଢ଼ାଉ କରେ । ଗୋଟାଏ ବିଧା ବା ଚାପୁଡ଼ାରେ ଶିକାରୀ ମୁଣ୍ଡଟି ନିଶ୍ଚୟ ଛିଡ଼ି ଖଣ୍ଡଦୂରରେ ଯାଇ ପଡ଼ିବ । ଯଦି ଅତି ସାହସୀ କୌଣସି ଶିକାରୀ ବନ୍ଧୁକ ପଛପଟେ ଗରିଲାକୁ ପିଟେ, ତେବେ ସେ ପାହାର ଦୂବଗଛରେ ମାଡ଼ ବସିଲା ପରି ଗରିଲାକୁ ଜଣାଯାଏ ।

 

ଏ ପର୍ଯ୍ୟନ୍ତ କେବଳ ଦୁଇ ଜଣ ଶିକାରୀ ଗରିଲା ଶିକାରରେ ନାମ କରିଅଛନ୍ତି । ସେ ଦୁଇ ଜଣଯାକ ଆମେରିକାର ସାହେବ । ଜଣକର ନାମ ପଲ୍ ଡୁସେଲ ଓ ଆଉ ଜଣକର ନାମ ବେନ୍ ବାର୍‌ବ୍ରିଜ ।

 

ପଲ୍‌ ଡୁସେଲ ତାଙ୍କର ପ୍ରଥମ ଗରିଲା ଶିକାର ସମ୍ପର୍କରେ ଲେଖିଛନ୍ତି—ଆମେ ଆସ୍ତେଆସ୍ତେ ଜଙ୍ଗଲ ମଝିକୁ ପଶିଲୁ । ତା ଭିତର ଏପରି ନିବିଡ଼ ଯେ, ଦିନ ଦୁଇ ପ୍ରହରରେ ମଧ୍ୟ କିଛି ପରିଷ୍କାର ଦେଖାଯାଉ ନ ଥାଏ । ଅଳ୍ପ ଦୂରରେ ଗଛର ଡାଳପତ୍ର ସବୁ ମଡ଼ମାଡ଼ ହୋଇ ଭାଙ୍ଗିବା ଶବ୍ଦ ଶୁଣାଗଲା । ଏହିଠାରେ ଯେ ଗରିଲା ଅଛନ୍ତି, ସେହି ଶବ୍ଦରୁ ଆମେ ତାହା ଜାଣିପାରିଲୁ । ଅତି ସାବଧାନରେ ଡରି ଡରି ଆଗକୁ ଗୋଟିଏ ଗୋଟିଏ ପାଦ ପକାଉଥାଉଁ । ମୋ ସାଙ୍ଗରେ ସେ ଦେଶର ଯେ କେତେ ଜଣ ବଣୁଆ ଲୋକ ଥିଲେ, ଭୟରେ ସେମାନଙ୍କ ମୁହଁ ଶେତା ପଡ଼ିଗଲାଣି । ତଥାପି ମୁଁ ପଛକୁ ଫେରିଲି ନାହିଁ । ଇସାରାରେ ସେମାନଙ୍କୁ ଖୁବ୍ ସାହସ ଦେଇ ଆଗକୁ ଚାଲିଥାଏ । ଅଳ୍ପକ୍ଷଣ ପରେ ମନେହେଲା, ଆଗରେ ଥିବା ଗୋଟାଏ ପ୍ରକାଣ୍ଡ ଗଛର ଡାଳପତ୍ର ଯେପରି ଦୋହଲି ତଳେ ଲାଗିଯାଉଚି । ଆମେ ଧୀର ସ୍ଥିର ଭାବରେ ସେହିଠାରେ ଠିଆ ହୋଇ ରହିଲୁ । ଜୋରରେ ନିଶ୍ୱାସ ସୁଦ୍ଧା ମାରୁ ନ ଥାଉଁ । ଚାରିଆଡ଼ ଶୂନ୍‌ଶାନ୍‍—କେବଳ ଯାହା ଗଛପତ୍ର ଦୋହଲୁଥାଏ । ହଠାତ୍ ଗୋଟାଏ ବିକଟ ଗର୍ଜନ ଶୁଣି ଆମ କାନଭିତର ଫାଟିଗଲା ପରି ଜଣାଗଲା । ସେ ଗର୍ଜନରେ ସମୁଦାୟ ବଣ ଯେପରି କମ୍ପି ଉଠିଲା । ଆଗରେ ଥିବା ଗଛର ସବା ତଳ ଡାଳଟି ଖୁବ୍ ଜୋରରେ ଦୋହଲିଗଲା ଏବଂ ସାଙ୍ଗେସାଙ୍ଗେ ଗୋଟାଏ ଅତି ଭୟଙ୍କର ପୁରୁଷ ଗରିଲା ଗଛମୂଳେ ଆସି ଠିଆ ହୋଇଗଲା । ଆଗରେ ଗୋଟାଏ କଣ୍ଟାବୁଦା ଥିଲା । ସେ ହାମୁଡ଼େଇ ହାମୁଡ଼େଇ ସେହି ବୁଦାଭିତରେ ପଶି ଆମ ପାଖକୁ ଚାଲିଆସିଲା ଏବଂ ଆଗରେ ହଠାତ୍ ଦୁଇ ଗୋଡ଼ରେ ଠିଆ ହୋଇଗଲା । ସେତେବେଳେ ଆମେ ତାହାଠାରୁ ମୋଟେ କୋଡ଼ିଏ ହାତ ଦୂରରେ ଥାଉଁ । ସେହି ବିରାଟ ରାକ୍ଷସକୁ ଦେଖି ପ୍ରଥମେ ମୋ ଛାତିଭିତରେ ଥରିଉଠିଲା । ସେତେବେଳର ଦୃଶ୍ୟ ମୁଁ ଜୀବନ ଥିବା ପର୍ଯ୍ୟନ୍ତ ଭୁଲିପାରିବି ନାହିଁ । ଚାରି ହାତଉଚ୍ଚ ଏକ ବିଶାଳ ଦେହ; ଖୁବ୍ ଚଉଡ଼ା ଛାତି, ବଳିଷ୍ଠ ବାହୁ, ଆଖିଯୋଡ଼ାକ କୋରଡ଼ଭିତରେ ଦୁଇଟା ମଶାଲ ଜଳିଲା ପରି ଦେଖାଯାଉଥାଏ । ତାର ରୂପ, ତାର ମୁହଁର ଭାବ ଓ ଆଖିର ତେଜ ଦେଖି ମନେହେଲା, ଆଫ୍ରିକା ଜଙ୍ଗଲର ସମ୍ରାଟ ଆସି ମୋ ଆଗରେ ଠିଆ ହୋଇଛି କି ?

 

ଆମେ ଏତେଗୁଡ଼ିଏ ଲୋକ ଥିଲେ ମଧ୍ୟ, ସେ ଆମକୁ ଦେଖି ଲେଶ ମାତ୍ର ଭୟ କଲା ନାହିଁ । ସେହିଠାରେ ଠିଆହୋଇ ତାହାର ଚଉଡ଼ା ଛାତିରେ ଖୁବ୍ ଜୋରରେ ବିଧା ମାଇଲା । ସେହି ବିଧାମରା ଶବ୍ଦ ଢୋଲ ବାଜିଲା ପରି ଆମ କାନକୁ ଶୁଭୁଥାଏ । ତାହାର ବାରମ୍ବାର ଗର୍ଜନରେ ସେ ବନଭୂମି ଥରିଗଲା ।

 

ଆମେ ଡରି ନ ଯାଇ ତା ଆଗରେ ଠିଆ ହୋଇଛୁ ଦେଖି ବୋଧହୁଏ ତା ରାଗ ଦୁଇ ଗୁଣ ବଢ଼ିଗଲା । ତା ଆଖି ଦୁଇଟା ପୂର୍ବ ଅପେକ୍ଷା ବେଶି ତେଜୀୟାନ ଦେଖାଗଲା । ମୁଣ୍ଡ ଉପରର ଲୋମଗୁଡ଼ାକ ମୁନିଆଁ ତୀର ପରି ଠିଆ ହୋଇଗଲା । ସେ ତାହାର ଦୁଇ ହାତ ବୁଲାଇ ଆମ ପାଖକୁ ଲାଗିଆସିଲା । ସେହି ଅଧା ମଣିଷ ଅଧା ଜନ୍ତୁ ରୂପୀ ଭୀଷଣ ଦୈତ୍ୟ ଗର୍ଜନ କରି ହାତ ବୁଲାଇ ବୁଲାଇ ଯେତେବେଳେ ଆମ ଆଡ଼କୁ ମାଡ଼ିଆସିଲା, ସେତେବେଳେ ଆମ ଭିତରୁ ଦୁଇଜଣ ଛାନିଆ ହୋଇ ତଳେ ପଡ଼ିଗଲେ ।

 

ଦୁଇ ଚାରି ପାଦ ଆସି ସେ ମୁହୂର୍ତ୍ତେ ଠିଆ ହେଲା । ଗୋଟାଏ ବିକଟ ଗର୍ଜନ ଛାଡ଼ିଲା, ପୁଣି ଦୁଇ ଚାରି ପାଦ ଆସିଲା ।

 

ମୁଁ ଦେଖିଲି, ମୋଠାରୁ କେବଳ ଦଶ ହାତ ଦୂରରେ ସେ ଦୈତ୍ୟ ଠିଆ ହୋଇଛି । ସେ ହାତ ଟେକି ଗର୍ଜନ କରିବା ମାତ୍ରକେ ମୁଁ ବନ୍ଧୁକ ଉଠାଇ ଗୁଳି ଫାଏର କଲି । ତାହା ଛାତି ହିଁ ମୋର ଲକ୍ଷ୍ୟ ଥିଲା ।

 

କରୁଣ ଆର୍ତ୍ତନାଦ ସଙ୍ଗେସଙ୍ଗେ ସେହିପରି ଭୀଷଣ ଗର୍ଜନ ଶୁଣାଗଲା । ମୋର ମନେହେଲା, ଯେପରି କି ମୁଁ ଗୋଟାଏ ମଣିଷକୁ ମାରିଦେଲି । ସେହିଭଳି ବିକଳ ଆର୍ତ୍ତନାଦ ଓ ଗର୍ଜନ କରୁକରୁ ସେହି ବିଶାଳ ଦେହ ସେହିଠାରେ ତଳେ ଢଳିପଡ଼ିଲା । ହାତଗୋଡ଼ ବାଡ଼ିଆପିଟାରେ ସେଠାରେ ପ୍ରାୟ ଗୁଣ୍ଠେ ଜମି ପଦା ହୋଇଗଲା । ପରେ ସବୁ ଶେଷ ।

 

–୪–

 

ବେନ୍ ବାର୍‌ବ୍ରିଜ ତାଙ୍କର ଗରିଲା ଶିକାର ସଂପର୍କରେ ଯେଉଁ ବହି ଲେଖିଛନ୍ତି, ସେଥିରେ ଗୋଟିଏ ଦିନର ଘଟଣାରେ ଲେଖାଅଛି—

 

‘‘କିଏ ବଡ଼ ବୀର, କିଏ ବେଶି ସାହସୀ—ଏହା ପରୀକ୍ଷା କରିବାର ଉପାୟ କଅଣ ? ଏହାର ଉତ୍ତରରେ କିଏ କେତେ ପ୍ରକାର କଥା କହିବେ । କିନ୍ତୁ ମୋର ମନେହୁଏ, ମନୁଷ୍ୟର ଧୈର୍ଯ୍ୟ ଓ ବୀରତ୍ୱର, ଅସୀମ ସାହସର ପରୀକ୍ଷା ହେଉଛି, ଗରିଲା ଆଗରେ ଠିଆହେବା । ନିବିଡ଼ ଜଙ୍ଗଲର ଉଆଁସ ରାତି ଭଳି ଅନ୍ଧକାର ସ୍ଥାନରେ ବିକଟ ଗର୍ଜନକାରୀ ବଣଦୈତ୍ୟ ଗରିଲାର ମୁନିଆଁ ଦାନ୍ତ ଦେଖି, ତାର ଉଜ୍ଜ୍ୱଳ ଟର୍ଚ୍ଚବତୀ ପରି ଜଳୁଥିବା ଆଖି ଆଗରେ ମୁହୂର୍ତ୍ତେ ଠିଆହୋଇ ଯାହାର ରକ୍ତ ଥଣ୍ଡା ହୋଇ ନ ଯାଏ, ସେହି ହିଁ ପ୍ରକୃତ ବୀର, ଠିକ୍ ସାହସୀ । ମୁଁ ବହୁତ ଥର ଏହିପରି ଅବସ୍ଥାରେ ପଡ଼ିଛି ।

 

ଥରେ ଆମେ ଦଳ ବାନ୍ଧି ଗରିଲା ଶିକାରକୁ ଗଲୁ । ବଣର ବିଭିନ୍ନ ଦିଗରେ ଦଳଭିତରୁ ଦୁଇ ତିନି ଜଣ ଲେଖାଏଁ ଲୋକ ଏଣେତେଣେ ଖେଦିଗଲେ । ମୁଁ ଓ ମୋର ବିଶ୍ୱାସୀ ଚାକର ଗାମ୍ବୋ ଗୋଟିଏ ପାଖରେ ରହିଲୁ । ଜଣେ ସାହସୀ ଗରିଲା ଶିକାରୀ ଆମ ସାଙ୍ଗରେ ଥିଲେ । ସେ ଏକାକୀ ଗୋଟିଏ ଦିଗରେ ଗଲେ । ଘଣ୍ଟାଘଣ୍ଟା ଧରି ଆମେ ସେହି ଜଙ୍ଗଲଭିତରେ ବୁଲି ଗରିଲା ଖୋଜିବାରେ ଲାଗିଲୁ । ହଠାତ୍ କିଛି ଦୂରରୁ ବନ୍ଧୁକ ଫୁଟିବା ଶବ୍ଦ ଶୁଣାଗଲା । ଅଳ୍ପ ସମୟ ପରେ ପୁଣି ଗୋଟାଏ ଶବ୍ଦ । ଯେଉଁଆଡ଼ୁ ଶବ୍ଦ ଶୁଭିଲା, ଆମେ ଅତି ତରତରରେ ସେହିଆଡ଼କୁ ଧାଇଁଲୁ । ବଣଭିତରେ ଲଟା ବୁଦାରେ ଗୋଡ଼ ଛନ୍ଦିହୋଇ ଯାଉଥାଏ; ଅନ୍ଧାରରେ ଆଗଟା ପରିଷ୍କାର ଦେଖାଯାଉ ନ ଥାଏ । ଭାବିଥିଲୁ, ଆଗରେ ଗୋଟାଏ ଗରିଲା ମରି ପଡ଼ିଥିବାର ଦେଖିବୁ । ମାତ୍ର ହଠାତ୍ ଗରିଲାର ଭୀଷଣ ଗର୍ଜନ ଶୁଣି ସେ ଭାବନା ଦୂର ହୋଇଗଲା । ଗାମ୍ବୋ ମୋ ପଛପଟୁ ମୋ ଅଣ୍ଟା ଜାବୁଡ଼ି ଧରି ଭୟରେ ଥରିବାକୁ ଲାଗିଲା । ମୁଁ ବହୁ କଷ୍ଟରେ ଅଣ୍ଟାରୁ ତା ହାତ ଫିଟାଇ କେତେ ପାହୁଣ୍ଡ ଆଗକୁ ଆସିଲି ।

 

ମାତ୍ର ଆଗରେ ଯାହା ଦେଖିଲି, ସେଥିରେ ଭୟରେ ମୁଁ ଥରିଉଠିଲି । ଯେଉଁ ସାହସୀ ବୀର ଗରିଲା ଘର ଖୋଜିବାକୁ ଏକୁଟିଆ ଯାଇଥିଲା, ସେ ତଳେ ନିଶ୍ଚଳ ହୋଇ ପଡ଼ିରହିଛି । ସେ ସ୍ଥାନଟା ରକ୍ତରେ ଭାସୁଛି । ତା ପେଟରୁ ଅନ୍ତବୁଜୁଳା ବାହାରିପଡ଼ିଛି । ତା ଦେହରେ ପ୍ରାଣ ନ ଥିଲା ପରି ମୋତେ ଜଣାଗଲା । ପାଖରେ ବନ୍ଧୁକଟି ଭାଙ୍ଗି ଖଣ୍ଡଖଣ୍ଡ ହୋଇ ପଡ଼ିଛି, ବନ୍ଧୁକର ନଳ ବଙ୍କା ଚେପ୍‌ଟା ହୋଇଯାଇଛି । ସେଥିରେ ଗରିଲା ଦାନ୍ତର ଦାଗ ପରିଷ୍କାର ଜଣା ପଡ଼ିଯାଉଛି । ମାତ୍ର ସେଠାରେ ଗରିଲା ନାହିଁ ।

 

ପାଖକୁ ଯାଇ ପରୀକ୍ଷା କଲି । ଜାଣିଲି, ଲୋକଟି ସେ ପର୍ଯ୍ୟନ୍ତ ମରିନାହିଁ । ମୁଁ ଯଥାସାଧ୍ୟ ତାର ସେବା କଲି । ସମସ୍ତେ ଧରାଧରି କରି ତାକୁ ତମ୍ବୁକୁ ଘେନିଆସିଲୁ ।

 

ଚେତା ହେବା ପରେ ସେ ଲୋକଟି ତା କଥା ବର୍ଣ୍ଣନା କଲା । ସେ କହିଲା; ଖୁବ୍ ସାବଧାନରେ ମୁଁ ଗରିଲା ଅନୁସନ୍ଧାନରେ ବୁଲୁଥିଲି । ହଠାତ୍ ଗୋଟାଏ ବଡ଼ କଣ୍ଟାବୁଦା ପାଖରେ ଗରିଲା ହାବୁଡ଼ରେ ପଡ଼ିଗଲି । ବଣ ଭିତରଟା ଅତି ଅନ୍ଧାର; ଗରିଲାର ସର୍ବାଙ୍ଗ ମୋତେ ଦେଖାଯାଉ ନ ଥାଏ । ତଥାପି ବନ୍ଧୁକ ଉଠାଇ ମୁଁ ଗୁଳି ମାଇଲି । ଗୁଳିଟା ତାର କେବଳ ଗୋଟାଏ ଜଙ୍ଘରେ ବାଜିଲା । ସେ ଠିଆହୋଇ ନିଜ ଛାତିରେ ବିଧାମାଡ଼ ବସାଇଲା ଓ ଗର୍ଜନ ଛାଡ଼ିଲା । ସେ ଯେ ଭୀଷଣ ରାଗିଯାଇଛି; ଏହି ବିଧାମାଡ଼ରୁ ମୁଁ ତାହା ଜାଣିଗଲି । ସେତେବେଳକୁ ସେ ମୋଠାରୁ କେବଳ ଚାରି ପାଞ୍ଚ ହାତ ଦୂରରେ ଥିଲା ।

 

ଏପରି ଅବସ୍ଥାରେ ସେହି ଭୀଷଣ ଦୈତ୍ୟର ଆଗରୁ ପଳାଇ ଆସିବା ଏକାବେଳକେ ଅସମ୍ଭବ । କାରଣ ଦୁଇ ଚାରି ଖୋଜ ନ ଯାଉଣୁ ଗରିଲା ନିଶ୍ଚୟ ଆସି ଧରିପକାଇବ । ମୁଁ ସେହିଠାରେ ଠିଆ ହୋଇ ବନ୍ଧୁକରେ ପୁଣି ଗୋଟାଏ ଗୁଳି ପୁରାଇଲି । ମାତ୍ର ତାହା ଧରିବା ଆଗରୁ ଗରିଲା ଆସି ମୋତେ ଏପରି ଏକ ଚାପୁଡ଼ା ମାଇଲା ଯେ, ମୁଁ ତଳେ ପଡ଼ିଗଲି; ବନ୍ଧୁକ ଛିଟିକିଯାଇ ଖଣ୍ଡଦୂରରେ ପଡ଼ିଲା । ସେପରି ଅବସ୍ଥାରେ ମଧ୍ୟ ମୁଁ ଚେତନା ହରାଇ ନ ଥାଏ ।

 

ଗରିଲା ଆଗ ବନ୍ଧୁକଟାକୁ ଉଠାଇନେଇ ହାତରେ ମୋଡ଼ି ଭାଙ୍ଗିଦେଲା । ନଳକୁ ଦାନ୍ତରେ କାମୁଡ଼ି ବଙ୍କା କରି ପକାଇଲା । ସେହି ସମୟରେ ବନ୍ଧୁକରେ ଦିଆଯାଇଥିବା ଦ୍ୱିତୀୟ ଗୁଳିଟି ଫୁଟିଲା । ବୋଧହୁଏ, ସେଥିରେ ତାର ମୁହଁର କେତେକ ଅଂଶ ଉଡ଼ିଯାଇଥିବ । ସେଠାରୁ ରାଗରେ ଆସି ମୋ ପେଟକୁ ଏପରି ଗୋଟାଏ ମୁଥ ମାଇଲା ଯେ; ତା ପରେ କଅଣ ହେଲା ମୁଁ ଆଉ କିଛି ଜାଣେ ନାହିଁ ।

 

ଏହି ଘଟଣାରୁ ମାତ୍ର ଦୁଇଦିନ ପରେ ସେହି ବୀରପୁରୁଷଟି ମରିଗଲା । କିନ୍ତୁ ତାହାର ସାହସ, ତାହାର ଧୈର୍ଯ୍ୟ ଆମକୁ ନୂଆ ବଳ ଦେଲା । ଏହି ଭୀଷଣ ରାଗୀ ରାକ୍ଷସ ଆଗରେ ଠିଆହୋଇ ସେ ଯେ କିପରି ଦ୍ୱିତୀୟ ଥର ବନ୍ଧୁକରେ ଗୁଳି ପୂରାଇଲା, ତାହା ଏବେ ମଧ୍ୟ ଭାବି ମୁଁ ଠିକ୍ କରିପାରେ ନାହିଁ ।

 

–୫–

 

ଥରେ କେତେକ ଶିକାରୀ ଗରିଲା ଶିକାର କରିବାକୁ ଯାଇଥିଲେ । ପ୍ରଥମେ ଗରିଲା ଦଳର ଦଳପତି ତାଙ୍କ ହାତରେ ମରିଥିଲା । ତା ପରେ କେତେଦିନଯାଏ; ସେମାନେ ସେ ବଣରେ ବୁଲି ଆଉ ଗରିଲା ମାରିବାକୁ ଯେତେ ଚେଷ୍ଟା କଲେ ମଧ୍ୟ ଗରିଲାଙ୍କ ଚିହ୍ନ ବର୍ଣ୍ଣ ପାଇଲେ ନାହିଁ ।

 

ଗରିଲାଦଳ ଦଳପତି ମରିଯିବାରୁ ବୋଧହୁଏ ଖୁବ୍ ଭୟ ପାଇ ଯାଇଥିଲେ । ସେମାନେ ବଣ ଭିତରେ ଏପରି ଲୁଚି ରହିଲେ ଯେ, ଶିକାରୀମାନେ ସେମାନଙ୍କ ପତ୍ତା ପାଇଲେ ନାହିଁ । ଗଛ ଉପରେ ଡେଇଁଡେଇଁ ସେମାନେ ପାଞ୍ଚ ସାତ ମାଇଲ ଦୂର ଆଉ ଗୋଟାଏ ବଣକୁ ଚାଲି ଯାଇଥିଲେ-

 

ଶିକାରୀମାନେ ବଣଭିତରେ ନିଜ ଦଳର ଲୋକଙ୍କୁ ଦୂରରୁ ଚିହ୍ନିବା ପାଇଁ ଗୋଟିଏ ପ୍ରକାର ପୋଷାକ ସମସ୍ତେ ପିନ୍ଧିଥାଆନ୍ତି । ଦେହରେ ଶାଗୁଆ ଜାମା, ମୁଣ୍ଡରେ ନାଲି ଟୋପି । ଦଳେ ଲୋକ ଏହି ଏକପ୍ରକାର ପୋଷାକ ପିନ୍ଧି କାନ୍ଧରେ ବନ୍ଧୁକ ଧରି ଚାଲିଗଲା ବେଳେ ସୈନ୍ୟଫଉଜ ପରି ଦେଖାଯାଆନ୍ତି ।

 

ଶିକାରୀମାନେ ଆଉ ସେ ବଣରେ ଶିକାର ନ ପାଇ ଆଗକୁ ଚାଲିଲେ । କେତେ ଦିନ ପରେ ଅନ୍ୟ ବଣରେ ଗରିଲା ସନ୍ଧାନ ମିଳିଲା । ଏ ଗରିଲାମାନେ ଯେ ସେହି ପୂର୍ବ ବଣର ଗରିଲା ଦଳ, ଏହା ଶିକାରୀମାନେ ବା ଜାଣନ୍ତେ କିପରି ?

 

ଅଦ୍ଭୁତ ପୋଷାକ ପିନ୍ଧି ବନ୍ଧୁକ ଧରି ଗଲାବେଳେ ଗରିଲା ସବୁ ଆଗରେ ପଡ଼ିଲେ । ସେମାନେ ଶିକାରୀଙ୍କୁ ଦେଖି ଏପରି ଡରି ଯାଇଥିଲେ ଯେ, ସାଙ୍ଗେସାଙ୍ଗେ ଗଛଉପରକୁ ଉଠି ଲୁଚିଗଲେ । ଶିକାରୀମାନେ ଦେଖିଲେ, ଗରିଲାସବୁ କିଏ କୁଆଡ଼େ ପଳାଇଗଲେଣି । ତଳେ ଆଉ ଦୁଇଟା ଗରିଲା ଅଛନ୍ତି । ଗୋଟିଏ ବୁଢ଼ା ଗରିଲା, ସେ ଆଦୌ ଦୌଡ଼ିପାରୁ ନାହିଁ । ତା ସାଙ୍ଗରେ ଆଉ ଗୋଟିଏ ଯୁବକ ଗରିଲା । ବୁଢ଼ାକୁ ସାଙ୍ଗରେ ନେଇ ପଳାଇ ଯିବାକୁ ବହୁତ ଚେଷ୍ଟା କରୁଛି, ମାତ୍ର ବୁଢ଼ା ଦଉଡ଼ିପାରୁ ନ ଥିବାରୁ ସେ ବି ଆଗକୁ ଯାଇପାରୁ ନାହିଁ ।

 

ଆଗକୁ ପଳାଇ ଯାଇପାରୁ ନାହିଁ, ଅଥଚ ପଛରେ ଯେଉଁ ଶିକାରୀ ଦଳ ଅଛନ୍ତି, ତାଙ୍କୁ ପ୍ରାଣେ ଭୟ । ସେ ଥରକୁଥର ପଛକୁ ଶିକାରୀ ଆଡ଼କୁ ଚାହୁଁଛି, ତେଣେ ବୁଢ଼ାର ହାତ ଧରି ଆଗକୁ ଦଉଡ଼ିବାର ଉଦ୍ୟମ କରୁଛି । ଶିକାରୀଙ୍କ ଆଡ଼କୁ ଚାହିଁଲାବେଳେ, ତା ମୁହଁ ଓ ଆଖିରୁ ବିକଳ ଅନୁନୟ ବିନୟର ଚିହ୍ନ ଫୁଟିଉଠୁଛି ।

 

ସେହି ସମୟରେ ଜଣେ ଶିକାରୀ ବନ୍ଧୁକ ଉଠାଇଲା, ମାତ୍ର ଅନ୍ୟମାନେ ତା ହାତ ଧରି ଅଟକାଇଦେଲେ । ଏପରି ଅବସ୍ଥାରେ ଯେ ବନ୍ଧକ ମାରିବା ଅନ୍ୟାୟ, ତାହା ଶିକାରୀଙ୍କ ଭଳି ଲୋକ ବି ବୁଝିପାରିଲେ । ସତେ ଅବା ପଥର ପାଣି ହୋଇଗଲା !

 

ଯୁବକ ଗରିଲାଟି ଦେଖିଲା, ଶିକାରୀମାନେ ଆଉ କେତେ ବାଟ ପାଖକୁ ଲାଗି ଆସିଲେଣି । ସେ ଅନ୍ୟ ଉପାୟ ନ ଦେଖି ବୁଢ଼ାପାଖକୁ ଦଉଡ଼ିଆସିଲା । ତାକୁ ଟେକି ନିଜ କାନ୍ଧରେ ବସାଇ ଗଛଉପରକୁ ଉଠି ଚାଲିଗଲା ।

 

ଶିକାରୀମାନେ ଭାବିଲେ, ବୁଢ଼ା ଗରିଲାଟି ନିଶ୍ଚୟ ତାର ବାପ କି କେହି ଆତ୍ମୀୟ ହୋଇଥିବ । ପଶୁ ହୋଇ ମଧ୍ୟ ଗରିଲାଠାରେ ଏପରି ସ୍ନେହମମତା ଥିବାର ଦେଖି ସେମାନେ ସେଥର ଆଉ ଗରିଲା ଶିକାର କଲେ ନାହିଁ ।

 

–୬–

 

ବଣରେ ଗୋଟିଏ ଗରିଲା ତାହାର ସ୍ତ୍ରୀ ଓ ପିଲାଙ୍କୁ ଧରି ରହିଥାଏ । ଆଶ୍ଚର୍ଯ୍ୟର କଥା, ସେ ବଣରେ ଆଉ ବେଶି ଗରିଲା ନ ଥାନ୍ତି ।

 

ସେହି ବଣପାଖରେ ଜଙ୍ଗଲୀ ଲୋକଙ୍କ ଗ୍ରାମ । ଗ୍ରାମର ଲୋକେ ଜାଣନ୍ତି, ବଣରେ ଗରିଲା ଘର କରି ରହିଛି । ତେଣୁ ବଣଭିତରକୁ ଯିବାକୁ କାହାରି ସାହସ ହୁଏ ନାହିଁ । ଗରିଲାଟି ମଧ୍ୟ କେବେହେଲେ ଗାଁ ଆଡ଼କୁ ଆସେ ନାହିଁ । ଯେ ଯାହାର ମାନ ଜଗି ରହିଥାଆନ୍ତି ।

 

ଜଙ୍ଗଲଭିତରେ ଥିବା ଗାଁମାନଙ୍କର ଜଣେ ଲେଖାଏଁ ପଧାନ ବା ରାଜା ଥାଆନ୍ତି । ଗାଁଲୋକ ତାଙ୍କରି କଥା ମାନି ସବୁ ସମୟରେ ଚଳନ୍ତି ।

 

ଥରେ ଗାଁ ରାଜାଙ୍କର ଗରିଲା ଶିକାର କରିବାକୁ ଝୁଙ୍କ ଉଠିଲା । ଗାଁଲୋକେ ବହୁତ ମନା କଲେ; କିନ୍ତୁ ରାଜା ତାହା ମାନିଲେ ନାହିଁ । ଗାଁର ସବୁ ଲୋକଙ୍କୁ ରୁଣ୍ଡ କଲେ । ଧନୁଶର, ବିଷବୋଳା ତୀର ଆଦି ଧରି ସମସ୍ତେ ବଣଭିତରକୁ ଗରିଲା ଶିକାରକୁ ଗଲେ ।

 

ବାଜା ବଜେଇ, ନିଆଁହୁଳା ଜାଳି ସେମାନେ ବଣଯାକ ଖେଦିଗଲେ । ବୋଧହୁଏ ପୁରୁଷ ଗରିଲାଟି ସେତେବେଳେ ସେଠାରେ ନ ଥିଲା । ପିଲା ଗରିଲାଟିକୁ ସମସ୍ତେ ଘେରିଯିବାରୁ ତାହାର ମା ଗଛରୁ ଡେଇଁପଡ଼ି ପିଲାକୁ ରକ୍ଷା କଲା । ସେତିକିବେଳେ କେତେଗୁଡ଼ିଏ ଶର ଯାଇ ତା ଦେହରେ ବାଜିଲା । ସେ ବିକଳରେ ଗର୍ଜନ କରିଉଠିଲା ।

 

ଦୂରରୁ ବଡ଼ ହୁଙ୍କାର ଶବ୍ଦ ଶୁଣାଗଲା । ଲୋକେ ସେ ଶବ୍ଦରେ ଏତେ ଡରିଗଲେ ଯେ, ସେ ସ୍ଥାନ ଛାଡ଼ି କିଏ କୁଆଡ଼େ ପଳାଇଲେ । କିଛି ସମୟ ପରେ ଡେଇଁଡେଇଁ ପୁରୁଷ ଗରିଲା ଆସି ସେଠାରେ ପହଞ୍ଚିଲା । ସେ ଦେଖିଲା, ସ୍ତ୍ରୀ ଗରିଲା ମରି ପଡ଼ିଛି; ତା ପେଟତଳେ ଛୁଆଟି ରହିଛି ।

 

ପୁରୁଷ ଗରିଲା ଆସି ତାକୁ ବହୁତ ହଲାଇଲା, ଘୋଷରା ଓଟରା କଲା । ତା ମୁହଁ ପାଖରେ ମୁହଁ ରଖି ଶୁଙ୍ଘିଲା । ମାତ୍ର କୌଣସିଥିରେ ହେଲେ ସେ ଉଠିଲା ନାହିଁ । ପୁରୁଷ ଗରିଲାଟି ନିଜ ଛାତିକୁ ହାତରେ ବାଡ଼େଇ ସେହିଠାରେ ବସିରହିଲା । ଥରକୁ ଥର ସେ ମୃତଦେହକୁ ଏପାଖ ସେପାଖ କରେ, ତା ମୁହଁକୁ ଟେକେ, ତା ପରେ ନିଜ ଛାତିରେ ହାତ ବାଡ଼ାଏ । ଠିକ୍ ମଣିଷଙ୍କ ଭଳି ଏପରି ଦୁଃଖରେ ଛଟପଟ ହୁଏ ଯେ, ସେତେବେଳେ ଯେ ତା ଦେଖିବ, ସେ ମଧ୍ୟ ତରଳିଯିବ ।

 

ସେହିଦିନଠାରୁ ସେ ବରାବର ଦିନଯାକ ସେହିଠାରେ ବସିରହେ । ଅନ୍ୟ କୁଆଡ଼େ ଯାଏ ନାହିଁ; ଏପରି କି ଖାଇବାପାଇଁ ମଧ୍ୟ ଯାଏ ନାହିଁ । ସେହିଠାରେ ବସି ନିଜ ଛାତିରେ ହାତ ମାରୁଥାଏ; କରୁଣ ଆର୍ତ୍ତନାଦ କରୁଥାଏ ।

 

ରାତି ହେଲେ ଆଉ ସେଠାରେ ରହେ ନାହିଁ । ଗାଁ ସେଠାକୁ ପାଞ୍ଚ ଛ କୋଶ ଦୂର । ରାତି ହେଲାକ୍ଷଣି ସେ ଗାଁ ଭିତରକୁ ଆସେ । ଘରେ ବା ବାହାରେ ଯେଉଁଠି ସ୍ତ୍ରୀଲୋକଙ୍କୁ ଦେଖେ, ତାଙ୍କୁ ଚିପି ମାରି ପକାଏ । ପାଟିତୁଣ୍ଡ ହେଲାରୁ ଲୋକେ ଧନୁଶର ଧରି ବାହାରିପଡ଼ନ୍ତି । ସେତେବେଳେ ସେ ଲୁଚି ପଳାଇଯାଏ ।

 

ଦିନେ ନୁହେ, ଦୁଇ ଦିନ ନୁହେ; ପ୍ରାୟ ଚାରି ମାସ ଯାଏ ସେ ଗାଁଭିତରେ ପଶି ସ୍ତ୍ରୀଲୋକଙ୍କୁ ମାଇଲା । ଆଶ୍ଚର୍ଯ୍ୟର କଥା, ଛୋଟ ପିଲା ବା ପୁରୁଷ ଲୋକ ଦେଖିଲେ କିଛି କରେ ନାହିଁ । ସ୍ତ୍ରୀଲୋକଟିଏ ହାବୁଡ଼େ ପଡ଼ିଲେ, ସାଙ୍ଗେସାଙ୍ଗେ ମାରିପକାଏ । କେବଳ ସ୍ତ୍ରୀଲୋକ ହିଁ ଖୋଜି ବୁଲୁଥାଏ ।

 

କ୍ରମେ ସେ ଗାଁ ସ୍ତ୍ରୀ ଶୂନ୍ୟ ହୋଇଗଲା । ଲୋକେ ବି ଯେତେ ଚେଷ୍ଟା କଲେ, ତାକୁ ମାରିପାରିଲେ ନାହିଁ । ତେଣୁ ବାଧ୍ୟ ହୋଇ ସେ ସ୍ଥାନ ଛାଡ଼ି ବହୁ ଦୂରକୁ ପଳାଇଗଲେ; ଅନ୍ୟ ସ୍ଥାନରେ ଘର କରି ରହିଲେ ।

 

ଗ୍ରାମ ପ୍ରଧାନଙ୍କର ସେହି ଦିନୁ ଏତେ ଭୟ ହୋଇଗଲା ଯେ, ସେ କେବେ ଆଉ ଗରିଲା ଶିକାର କରିବାକୁ ମନ କରି ନାହାନ୍ତି । ଲୋକେ ମଧ୍ୟ ଗରିଲାକୁ ଦେବତା ଭାବି ମନେମନେ ପୂଜା କଲେ । ଆଖପାଖ ବଣରେ ଗରିଲା ଆସି ରହିଛନ୍ତି ବୋଲି ଶୁଣିଲେ । ସାଙ୍ଗେସାଙ୍ଗେ ସେ ଗାଁ ଛାଡ଼ି ଅନ୍ୟତ୍ର ପଳାଇ ଯାଉଥିଲେ ।

 

–୭–

 

ଜଣେ ସାହେବ ଥରେ କିପରି ଖାଲି ହାତରେ ଗରିଲାକୁ ମାରିଥିଲେ ଏବଂ ଗରିଲାଠାରୁ ବଳି ଭୟଙ୍କର ଜଙ୍ଗଲୀ ଲୋକଙ୍କ ହାତରୁ ରକ୍ଷା ପାଇଥିଲେ, ତାହା ନିଜେ ଲେଖିଯାଇଅଛନ୍ତି । ଆଫ୍ରିକାର ନାନା ସ୍ଥାନରେ ବୁଲି କେଉଁଠି କଅଣ ଅଛି, ଦେଖିବାଲାଗି ସେ ସେଠାକୁ ଯାଇଥିଲେ । ତାଙ୍କ ସାଙ୍ଗରେ କେତେକ ଚାକର ଏବଂ ସେ ଦେଶର ଲୋକ କେତେ ଜଣ ଥାଆନ୍ତି । ବହୁତ ଖାଦ୍ୟପଦାର୍ଥ ବି ଥାଏ । ସେ ଯେଉଁ ଅଞ୍ଚଳକୁ ଯାଆନ୍ତି, ଆଗ ସେ ଅଞ୍ଚଳର ଜଙ୍ଗଲୀ ରାଜାଙ୍କୁ ଖୁସାମନ୍ତ କରନ୍ତି । ତାଙ୍କୁ କିଛି ଜିନିଷ ଉପହାର ଦିଅନ୍ତି । ତା ହେଲେ ସେ ନିଜ ଦେଶର କେତେଜଣ ଲୋକଙ୍କୁ ତାଙ୍କ ସାଙ୍ଗରେ ପଠାନ୍ତି । ସାହେବଙ୍କର ଜଙ୍ଗଲରେ କିଛି ଅସୁବିଧା ହୁଏ ନାହିଁ । ସାହେବ ତାଙ୍କ ବିବରଣୀରେ ଲେଖିଛନ୍ତି—

 

‘‘ଆମର ବାଘ ସିଂହଙ୍କୁ ବେଶି ଡର ନ ଥାଏ । ଜୀବନରେ ବହୁତ ବାଘ ସିଂହଙ୍କ ସହିତ ଲଢ଼େଇ କରିଛୁ, କେତେ ଯେ ମାରିଛୁ, ତା ଠିକ୍ ନାହିଁ । ବାଘ ସିଂହଙ୍କଠାରୁ ବେଶି ଭୟଙ୍କର ଜଙ୍ଗଲଭିତରେ ଥିବା ଲଙ୍ଗୁଳି ଲୋକେ । ପ୍ରତ୍ୟେକ ଗ୍ରାମରେ ପହଞ୍ଚି ଆମେ ସେମାନଙ୍କୁ ଆଗ ଖୁସି କରିବାରେ ଲାଗିଯାଉଁ । ପ୍ରଥମେ ଆମ ସାଙ୍ଗରେ ପଚିଶଟି ଷଣ୍ଢ, ପଚିଶଟି ମଇଁଷି ଥିଲେ । ଗୋଟିଏ ଦୁଇଟି ଲେଖାଏଁ ସେମାନଙ୍କୁ ଦେଇଦେଇ ଶେଷକୁ ସବୁ ସରି ଆସିଲା ।

 

ମୁଁ ଯେତେବେଳର କଥା ଲେଖୁଛି, ସେତେବେଳକୁ ଆମ ପାଖରେ ଆଉ ଦୁଇଟି ମାତ୍ର ଷଣ୍ଢ ଥିଲେ; ମଇଁଷି ଆଦୌ ନ ଥିଲେ । ଆମେ ନିବିଡ଼ ଜଙ୍ଗଲମଧ୍ୟରେ ଗୋଟିଏ ଗ୍ରାମବାସୀଙ୍କ ହାବୁଡ଼ରେ ପଡ଼ିଲୁ । ସେମାନଙ୍କ ସଂଖ୍ୟା ହଜାରକରୁ ବେଶି ହେବ । ସମସ୍ତେ ଅଣ୍ଟାରେ ପୁଳାଏ ପତର ବାନ୍ଧିଥାଆନ୍ତି; ମୁଣ୍ଡରେ ନାନା ରଙ୍ଗର ପକ୍ଷୀପରର ଟୋପି, ହାତରେ ଧନୁଶର । ସେମାନଙ୍କ କିଳିକିଳା ନାଦରେ କାନ ବଧିରା ହୋଇ ଯାଉଥାଏ ।

 

ସେମାନଙ୍କୁ ଖୁସି କରିବା ପାଇଁ ଆମେ ଗୋଟିଏ ଷଣ୍ଢ ସେମାନଙ୍କ ରାଜାଙ୍କୁ ଉପହାର ଦେଲୁ । ମୁହୂର୍ତ୍ତକ ମଧ୍ୟରେ ସମସ୍ତେ ଏକାଠି ହୋଇ ତାକୁ ମାରି ପକାଇଲେ । ମୁଣ୍ଡଟା କାଟି ରାଜାକୁ ଦେଲେ, ବାକି ମାଂସତକ ସମସ୍ତେ ଛଡ଼ାପଡ଼ା ହୋଇ ଖାଇଲେ । କେତେ ଜଣ କାଠ ବାଉଁଶ ଜାଳି ନିଜ ଭାଗରେ ପଡ଼ିଥିବା ମାଂସ ସେକି ନେଲେ, ଆଉ କେତେକ ତା ବି କଲେ ନାହିଁ—ସେହିପରି କଞ୍ଚା ଖାଇଗଲେ ।

 

ଏହି ସମୟରେ ଆଉ ଦଶ ଜଣ ରାଜଦୂତ ଆସି ମୋ ଆଗରେ ଠିଆହେଲେ । ନାଚି କୁଦି, ହାତ ମୁହଁ ହଲାଇ କେତେ କଅଣ କହିଗଲେ । ମୋ ସାଙ୍ଗରେ ସେ ଦେଶର ଯେଉଁ ଲୋକ ଥିଲା, ସେ ବୁଝାଇଦେଲା ଯେ, ରାଜା ଆଉ ଗୋଟିଏ ଷଣ୍ଢ ମାଗୁଛନ୍ତି ।

 

ମୁଁ ଆଉ ଷଣ୍ଢଦେବାକୁ ମନା କରିଦେଲି । ଦୂତମାନେ ଫେରିଗଲେ । ଘଣ୍ଟାକ ପରେ ରାଜାଙ୍କ ହୁକୁମ ପାଇ ଦଳେ ଲୋକ ଯୁଦ୍ଧ କରିବାକୁ ଚାଲିଆସିଲେ । ତାଙ୍କ କିଳିକିଳା ନାଦ ଶୁଣି ତାଙ୍କ ନାଚ ଧନୁ ଶର ଦେଖି ଆମେ ଟିକିଏ ଡରିଗଲୁ; ତଥାପି ବନ୍ଧୁକ ଧରି ସଜବାଜ ହୋଇ ଠିଆ ହେଲୁ ।

 

ଆମ ବନ୍ଧୁକ ଗୁଳିରେ ସେମାନଙ୍କ ମଧ୍ୟରୁ କୋଡ଼ିଏ ଜଣ ଯାଏ ମରି ଶୋଇଲେ । ତାଙ୍କର ଯେତିକି ଲୋକ ମରୁଥାଆନ୍ତି, ରାଗ ସେତିକି ବଢ଼ୁଥାଏ । ଆମ ଭିତରୁ ଧନୁଶର ମାଡ଼ ଖାଇ କେତେ ଜଣ ମଧ୍ୟ ମରିଗଲେ, କେତେ ଜଣ ଅକର୍ମଣ୍ୟ ହୋଇ ତଳେ ପଡ଼ିଗଲେ ।

 

ସେମାନଙ୍କ ତୁଳନାରେ ଆମ ସଂଖ୍ୟା ଅତି କମ୍‌ । ଚାରି ପାଞ୍ଚ ଘଣ୍ଟା ଯୁଦ୍ଧ ପରେ ଆମେ ଯେତେ ଜଣ ବଞ୍ଚିଥିଲୁ, ସମସ୍ତେ ସେମାନଙ୍କ ହାତେ ବନ୍ଦୀ ହେଲୁ । ସେତେବେଳେ ସେମାନଙ୍କ ଆନନ୍ଦ ଦେଖେ କିଏ ?

 

ମୁଁ ଯେ ଆମ ଦଳର ରାଜା, ତାହା ସେମାନେ ବୁଝି ଯାଇଥିଲେ । ମୋର ହାତଗୋଡ଼ ବାନ୍ଧି ମୋତେ ତାଙ୍କ ରାଜାଙ୍କ ପାଖକୁ ନେଇଗଲେ । ବିଚାରରେ ଠିକ୍‌ ହେଲା, ଗରିଲା ପିଞ୍ଜରାରେ ମୋତେ ଛାଡ଼ି ଦିଆଯିବ । ଗରିଲା କିପରି ମୋତେ ମାରିବ, ତାହା ଦେଖି ସେମାନେ ମଜା ପାଇବେ ।

 

ଏ ପର୍ଯ୍ୟନ୍ତ ମୁଁ କେବେ ଗରିଲା ଆଗରେ ପଡ଼ି ନଥିଲି; ଦୂରରୁ ଯାହା ଦେଖିଥିଲି । ଦୂରରୁ ଭୀଷଣ ରାକ୍ଷସ ପରି ଗରିଲାର ରୂପ ଦେଖି ମୋର ଶିକାରୀ ମନ ବି ଦବିଯାଉଥିଲା । ଏବେ ଯେ ସେହି ରାକ୍ଷସ ହାତରେ ଜୀବନ ଯିବ—ଏହା ସ୍ଥିର ଜାଣିଗଲି ଓ ସେଥିପାଇଁ ମନକୁ ପ୍ରସ୍ତୁତ କରିବାରେ ଲାଗିଲି ।

 

ତିନି ଦିନ ଏପରି ଅବସ୍ଥାରେ କଟିଗଲା । ତା ପରେ ସକାଳେ ଦରବାର ବସିଲା । ଗୋଟାଏ କଟା ହୋଇଥିବା ଗଛର ମୂଳ ଉପରେ ରାଜା ବସିଲେ ।

 

ରାଜାଙ୍କୁ ଘେରି ପ୍ରଜାମାନେ ରୁଣ୍ଡ ହୋଇଥାଆନ୍ତି । ସେମାନଙ୍କ ଆନନ୍ଦ, ସେମାନଙ୍କ ନାଚ କୁଦ ଓ କିଳିକିଳା ନାଦରେ ମୋ ରକ୍ତ ତାତି ଉଠୁଥାଏ; ମାତ୍ର ଉପାୟ କିଛି ନାହିଁ । ମୋ ହାତ ଗୋଡ଼ ବନ୍ଧା; ମୁଁ ନାଚାର ।

 

ଦେଖିଲି ଅଳ୍ପ ଦୂରରେ ମୋ ବନ୍ଧୁକଟି ପଡ଼ିଛି । ତା ପାଖରେ ଆମ ଦଳର ଆଉ କେତୋଟି ବନ୍ଧୁକ ବି ରହିଛି । ଏ ଲୋକେ ବନ୍ଧୁକ ପାଖ ମାଡ଼ୁ ନାହାନ୍ତି । ତାକୁ ସାକ୍ଷାତ୍‌ ଯମ ମନେ କରି ଦୂରରେ ରହୁଅଛନ୍ତି ।

 

କେତେ ଜଣ ଲୋକ ଗରିଲା ପିଞ୍ଜରାକୁ ଘୋଷାରି ଘୋଷାରି ସେଠାକୁ ଆଣିଲେ । କାଠ ବାଉଁଶ ବାଡ଼ା ଦିଆଯାଇ ଗୋଟାଏ ବଡ଼ ପିଞ୍ଜରା ହୋଇଥାଏ; ତା ଭିତରେ ଭୀଷଣ ଗରିଲାଟାଏ । ଥରକୁ ଥର ନିଜ ଛାତିକୁ ମୁଥ ମାରି, ଗର୍ଜନ କରି ଗରିଲା ସେ ସ୍ଥାନ କମ୍ପାଇଦେଲା-

 

ଲୋକେ ମୋତେ ଧରି ସେ ପିଞ୍ଜରା ଭିତରକୁ ପୂରାଇ ଦେଲେ । ଦୁଆରମୁହଁ ବନ୍ଦ କରି ଭଲ ରୂପେ ବାନ୍ଧିଦେଲେ । ସେତେବେଳେ ମୋ ହାତ ଗୋଡ଼ର ସମସ୍ତ ବନ୍ଧନ ଫିଟାଇ ଦେଇଥାଆନ୍ତି ।

 

ହାତର ବନ୍ଧନ ଫିଟିଯିବାରୁ ମୁଁ ଟିକିଏ ଆଶ୍ୱସ୍ତ ହେଲି; ମାତ୍ର ଆଖି ଆଗରେ ସାକ୍ଷାତ୍‌ ଯମ ।

 

ମୁଁ ଦେଖିଲି, ବଣର ଗରିଲା ପରି ଏହା ସେପରି ଦୁର୍ଦ୍ଦାନ୍ତ ଜଣା ପଡ଼ୁ ନାହିଁ । ମନ ଇଚ୍ଛା ଖାଇବାକୁ ନ ପାଇ ଝଡ଼ିଗଲାଣି । ଦେହର ଚମ ଓହଳିପଡ଼ିଲା ପରି ଜଣାଯାଉଛି ।

 

ମୁଁ ଟିକିଏ ଭଲ କରି ଚାହିଁ ଦେଖିଲି, ଗରିଲା ମୁହଁରେ ଦୁଃଖ ଯନ୍ତ୍ରଣାର ଭାବ । ପେଟଭିତର କାମୁଡ଼ି ହୋଇ କଷ୍ଟ ହେଲେ ଲୋକେ ଯେପରି ମୁହଁ କରନ୍ତି, ସେହିପରି ସେ ମୁହଁ କରୁଛି । ତା ସତ୍ତ୍ୱେ ରାଗରେ ଆଖି ଦୁଇଟା ଜଳୁଛି । ଛାତିକୁ ଦୁଇ ଚାରିଟା ମୁଥ ମାରି ସେ ଠିଆ ହୋଇ ପଡ଼ିଲା । ମୋ ଉପରେ ଚଢାଉ କରିବାକୁ ଠିକ୍‌ ଉଦ୍ୟତ । ସେହି ସମୟରେ ମୁଁ ଦେଖିନେଲି, ତା ତଳିପେଟରେ ଗୋଟାଏ ସ୍ଥାନ ଫୁଲିଉଠିଛି ।

 

ଗରିଲା ଯେତେବେଳେ ହାତ ଉଠାଇ ମୋ ପାଖକୁ ଲାଗିଆସିଲା, ମୁଁ ନଇଁପଡ଼ି ତାର ସେହି ଫୁଲିବା ସ୍ଥାନରେ ଗୋଟାଏ ବଜ୍ର ମୁଥ ବସାଇଦେଲି । ମୁଁ ଜାଣେ, ମୁଁ ତ ନିଶ୍ଚୟ ମରିବି; ତେବେ ମରିବା ପୂର୍ବରୁ ଶତ୍ରୁକୁ ବାଧା ଦେବାକୁ ଥରେ ଚେଷ୍ଟା ନ କରିବି କାହିଁକି ? ମୋ ଦେହର ସମସ୍ତ ବଳ ଯେପରି ସେହି ମୁଥଦ୍ୱାରା ଗରିଲାର ତଳିପେଟରେ ବାଜିଲା । ସାଙ୍ଗେସାଙ୍ଗେ ସେ ତଳେ ପଡ଼ିଗଲା, ବିକଳରେ ଛଟପଟ ହେଲା ।

 

ମୋ ମନରେ ଟିକିଏ ସାହସ ଆସିଲା, ବଞ୍ଚିବାର ଆଶା ଦେଖାଗଲା । ଏହି ସମୟରେ ବାହାରେ ରୁଣ୍ଡ ହୋଇଥିବା ଲୋକେ ବାଡ଼ି ପୂରାଇ ଗରିଲାକୁ କେଞ୍ଚିବାରେ ଲାଗିଲେ । ମୁଁ ହଠାତ୍‌ ସେ ବାଡ଼ିରୁ ଗୋଟାଏ ଛଡ଼ାଇ ଆଣିଲି । ଲୋକେ ଏପରି ହେବ ବୋଲି ଆଶା କରି ନ ଥିଲେ । ସେମାନେ ଟିକେ ହଡ଼ବଡ଼େଇ ଗଲେ । ଗରିଲା ଏପରି ଧକ୍‌କା ଖାଇବ ବୋଲି ବୋଧହୁଏ କେବେ ଭାବି ନ ଥିଲା । ସେ ମୁହୂର୍ତ୍ତେ ସମୟ ବିକଳରେ ବସିପଡ଼ି ପୁଣି ଉଠି ଠିଆ ହେଲା ।

 

ମୁଁ ଲୋକଙ୍କ ହାତରୁ ଛଡ଼ାଇ ନେଇଥିବା ବାଡ଼ିରେ ଗରିଲାର ସେହି ତଳିପେଟକୁ ଦେଖାଇ ଗୋଟାଏ ଶକତ ପାହାର ବସାଇଦେଲି । ଅନ୍ତତଃ ଦୁଇ ଚାରିଟା ବନ୍ଧୁକ ଗୁଳି ଯେଉଁ କାମ ଦେଇ ନ ଥାନ୍ତା, ସେ ପାହାରଟା ସେହିପରି କାମ ଦେଲା । ଗରିଲା ଉଠୁଉଠୁ କରୁଣ ଆର୍ତ୍ତନାଦ କରି ପୁଣି ପଡ଼ିଗଲା ।

 

ଲୋକେ ପଛଆଡ଼ୁ ତାକୁ କେଞ୍ଚୁଥାଆନ୍ତି । ସେ ଜୀବନ ବିକଳରେ ତାଙ୍କୁ ଧରିବା ପାଇଁ ବୁଲିପଡ଼ିଲା । ହାତ ପାଖରେ ଯେଉଁ କାଠ ବାଡ଼ା ଖଣ୍ଡିକ ପାଇଲା, ତାକୁ ଜୋରରେ କାମୁଡ଼ି ଦେଲା-। ଏକା କାମୁଡ଼ାକେ ଗୋଟିଏ ବାଡ଼ା ଭାଙ୍ଗିଗଲା ।

 

ଗରିଲା ପରି ଜନ୍ତୁ ସିନା ସେ ବାଟେ ବାହାରିପାରିବ ନାହିଁ, ମୁଁ କିନ୍ତୁ ଠେଲିପେଲି ହୋଇ ସେ ବାଟ ଦେଇ ପିଞ୍ଜରାରୁ ଚାଲିଆସିଲି । ଲୋକେ ଛିନ୍ନଛତ୍ର ହୋଇ ପଳାଇବାକୁ ଲାଗିଲେ । ରାଜା ଯେତେ ପାଟି କଲେ, କେହି ଶୁଣିଲେ ନାହିଁ ।

 

ମୁଁ ସିଧା ଦଉଡ଼ି ଯାଇ ଗୋଟାଏ ବନ୍ଧୁକ ଧରି ପକାଇଲି । ସେଥିରେ ଅବଶ୍ୟ ଗୁଳି ନ ଥିଲା; କିନ୍ତୁ ସେହି ଖାଲି ବନ୍ଧୁକ ଦେଖି ରାଜା ଆସି ମୋ ପାଖରେ ଶରଣ ପଶିଲା । ତା ପରେ ଆମ ଭିତରେ ସନ୍ଧି ହେଲା । ମୋ ଦଳର ସବୁ ଲୋକେ ବନ୍ଧନରୁ ଫିଟିଲେ, ମୋ ଗୁଳି ଓ ଅନ୍ୟାନ୍ୟ ଜିନିଷ ମୋତେ ଫେରାଇ ଦିଆଗଲା । ମୋତେ ନେଇ ଅନ୍ୟ ବଣରେ ଛାଡ଼ିଦେଇ ଆସିବା ପାଇଁ ଦଶ ଜଣ ଶିକାରୀଙ୍କୁ ରାଜା ମୋ ସାଙ୍ଗରେ ପଠାଇଲେ ।

 

–୮–

 

ଗରିଲା ଯେଉଁ ବଣରେ ଥାଏ; ସେ ବଣକୁ ସିଂହ, ବାଘ କି ହାତୀ କେହି ଯାଆନ୍ତି ନାହିଁ । ଯଦି ଦୈବାତ୍‌ କେହି କେବେ ସେ ବଣକୁ ଯାଏ, ତେବେ ସେ ଆଉ ଜୀବନରେ ଫେରେ ନାହିଁ ।

ଥରେ ଦୁଇଟା ମହାବଳ ବାଘ ଅନ୍ୟ ବଣରୁ କିପରି ଗରିଲା ଥିବା ବଣକୁ ଚାଲି ଆସିଥିଲେ । ସେ ବଣରେ ହରିଣ, ବିଲୁଆ ପ୍ରଭୃତି ଶିକାର ପୂରି ରହିଛନ୍ତି । ବାଘ ଦୁଇଟିଙ୍କର ଏତେ ଖାଦ୍ୟ ଜିନିଷ ଛାଡ଼ି ଚାଲିଯିବାକୁ ମନ ହେଲା ନାହିଁ ।

ଦିନେ ରାତିରେ ଦଳେ ହରିଣଙ୍କୁ ଦେଖି ବାଘ ଦୁଇଟି ଗୋଡ଼ାଇଲେ । ବିଲୁଆମାନେ ବାଘ ଦେଖିଲେ କି ବାଘର ଗନ୍ଧ ପାଇଲେ ଜୋରରେ ବୋବାଇଉଠନ୍ତି । ପାଖଆଖରେ ଯେଉଁ ବିଲୁଆ ଥିଲେ, ସେମାନେ ଏ ବାଘ ଦୁଇଟିଙ୍କୁ ଦେଖି ‘ହୁକେ ହୋ’ ପାଟିରେ ବଣ କମ୍ପାଇଦେଲେ । ହରିଣପଲ ଦଉଡ଼ିବା ଯୋଗେ ବଣରେ ଗୋଟିଏ ଶବ୍ଦ ହେଲା । ଥରେଥରେ ବାଘ ଦୁହେଁ ମଧ୍ୟ ଗର୍ଜନ କରୁଥାଆନ୍ତି । ଏ ସବୁପ୍ରକାର ଶବ୍ଦ ମିଶି ବଣଭିତରେ ହୁଲସ୍ଥୂଲ ପଡ଼ିଗଲା ।

ପାଖରେ ଗୋଟିଏ ଗଛର ମୂଳ ଡାଳରେ ଗରିଲା ଆରାମରେ ଶୋଇଥିଲା । ଗଛ ଅଗରେ ବୋଧହୁଏ ତାର ସ୍ତ୍ରୀ ଓ ପିଲାପିଲି ଶୋଇଥିଲେ । ଗରିଲାଟି ନିଶ୍ଚିନ୍ତରେ ଆଉ ଶୋଇପାରିଲା ନାହିଁ । ତାହାର ସୁଖସ୍ୱପ୍ନ ଭାଙ୍ଗିଗଲା; ରାଗ ବ୍ରହ୍ମତାଳୁକୁ ଉଠିଗଲା ।

ଗରିଲା ଧଡ଼ପଡ଼ ହୋଇ ଶେଯରୁ ଉଠି ଠିଆ ହେଲା । ସେ ତଳକୁ ଚାହିଁ ଦେଖିଲା, ଗୋଟାଏ ହରିଣ ତଳେ ପଡ଼ି ଛଟପଟ ହେଉଛି । ବାଘ ତା ଉପରେ ବସି ରକ୍ତ ପିଇବାରେ ଲାଗିଛି-

 

ଗରିଲା–ରାଜ୍ୟ ଭିତରେ ପୁଣି ଏ କାଣ୍ଡ ! ତାହା ଗରିଲା ସହନ୍ତା କିପରି ? ସେ ସାଙ୍ଗେସାଙ୍ଗେ ତଳକୁ କୁଦିପଡ଼ିଲା । ବାଘ ହରିଣଦେହରୁ ମାଂସ ଛିଡ଼ାଉଥାଏ; ସେ ଆଉ ପଛକୁ ଚାହିଁ ନାହିଁ । ଗରିଲା ଗୋଟାଏ ଗର୍ଜନ କରି ଆଖି ପିଛୁଳାକେ ସେଠାରେ ପହଞ୍ଚିଗଲା । ବାଘ ଗାଲରେ ଏତେ ଜୋରରେ ଗୋଟାଏ ମୁଥ ବସାଇଦେଲା ଯେ, ବାଘଟା ତିନି ହାତ ଦୂରରେ ଛିଟିକି ପଡ଼ିଗଲା । ସାଙ୍ଗେ ସାଙ୍ଗେ ଗର୍ଜି ଉଠିଲା ।

 

ତା ଗର୍ଜନ ଶୁଣି ଅନ୍ୟ ବାଘଟା ଧାଇଁଆସିଲା । ମାତ୍ର ସେ ଆସିଲାବେଳକୁ ଗରିଲା ଏ ବାଘର ବେକକୁ ନିଜର ଦୁଇ ହାତରେ ଖୁବ୍‌ ଜୋରରେ ଚାପି ଧରିଥିଲା । ବାଘ ତା ଚାରି ଗୋଡ଼ ଯେତେ ବାଡ଼ିଆପିଟା କଲେ ମଧ୍ୟ ଗରିଲାର କିଛି କରିପାରିଲା ନାହିଁ । ସେ ତାକୁ ସେହିପରି ଓହଳାଇ ଧରି ଆଣି ଗୋଟାଏ ଗଛରେ ପିଟିଦେଲା । ସାଙ୍ଗେ ସାଙ୍ଗେ ବାଘର ଗୋଡ଼ହାତ ଅଚଳ ହୋଇଗଲା—ସବୁ ଶେଷ ।

 

ଅନ୍ୟ ବାଘଟା ବୋଧହୁଏ କଅଣ କରିବ, କିଛି ଠିକ୍‌ କରିପାରୁ ନଥାଏ । ବେଶି ସମୟ ତାକୁ ଭାବିବାକୁ ନ ଦେଇ ଗରିଲା ତା ପାଖକୁ ଦଉଡ଼ିଗଲା । ହଠାତ୍‌ ତା ଲାଙ୍ଗୁଡ଼ଟା ହାବୁଡ଼େ ପଡ଼ିଯିବାରୁ, ତାକୁ ଧରି ଘୋଷାରି ଦଶପନ୍ଦର ହାତ ଟାଣିଆଣିଲା । ଏହି ଟଣାଓଟରାରେ ବାଘର ତେଜ ଅଧେ କମିଯାଇଥାଏ । ତା ପରେ ତା ପେଟରେ ଏପରି ଗୋଟାଏ ମୁଥ ବସାଇଲା ଯେ, ତା ପେଟ ଫାଟିଗଲା ।

 

ଦଳେ ଲୋକ ଗରିଲା ଶିକାର କରିବାକୁ ସେ ବଣକୁ ଯାଇଥିଲେ । ସୁବିଧା ସ୍ଥାନ ଦେଖି ସେମାନେ ଆଶ୍ରା ନେଇଥାନ୍ତି । ଗରିଲା ଶିକାର କରିବା ସେମାନଙ୍କର ଯେତେ ଇଚ୍ଛା ନ ଥାଏ; ଭିନ୍ନଭିନ୍ନ ଅବସ୍ଥାରେ ଗରିଲାର ଫଟୋ ଉଠାଇବା, ଗରିଲା ବିଷୟରେ ନାନା କଥା ଜାଣିବା, ସେମାନଙ୍କର ପ୍ରଧାନ ଉଦ୍ଦେଶ୍ୟ । ଆଉ ମଧ୍ୟ ମନଭିତରେ ଥାଏ; ସୁବିଧା ପାଇଲେ ଗୋଟିଏ ଦୁଇଟି ଗରିଲାଛୁଆ ଜୀଅନ୍ତାରେ ଧରି ଆଣିବେ ।

 

ଗରିଲା ବାଘକୁ ମାରୁଥିବା ବେଳେ ସେମାନେ କୌଶଳ କରି ଫଟୋ ଉଠାଇଲେ । ଗରିଲାର ଏତେ ବଳ ଦେଖି ଆଉ ସେଠାରେ ରହିବାକୁ ତାଙ୍କର ଇଚ୍ଛା ହେଲା ନାହିଁ । ଛୁଆ ଧରିବା ଆଶା ଛାଡ଼ି ପର ଦିନ ସେଠାରୁ ପଳାଇ ନ ଆସିବା ଯାଏ ବୁଦ୍ଧିବାଟ ଦିଶିଲା ନାହିଁ ।

 

–୯–

 

ଆଉ ଥରେ ଗୋଟାଏ ଅତି ମଜାର କଥା ହୋଇଥିଲା ।

 

ଦୁଇଟି ବନ୍ଧୁ ବଣରେ ଶିକାର ଖୋଜି ବୁଲୁଥିଲେ । ଜଣକର ନାମ ଜନ୍‌ ଓ ଅନ୍ୟ ଜଣର ନାମ ଡିନ୍‌ । ଜନ୍‌ ଇଂରେଜ, ଡିନ୍‌ ଆଫ୍ରିକାର ଜଙ୍ଗଲୀ ଲୋକ; କିନ୍ତୁ ପିଲାଟିଦିନୁ ସାହେବଙ୍କ ସାଙ୍ଗରେ ରହି ଶିକ୍ଷିତ ହୋଇଥାଏ । ତାହାର ବର୍ଣ୍ଣ କଳା, ମୁହଁଟା କୁତ୍ସିତ, ନାକ ଚେପ୍‌ଟା ଓ ତାଳୁ ଉପର ଟିକିଏ ଉଚ୍ଚ ।

 

ସେମାନେ ବୁଲୁ ବୁଲୁ ହଠାତ୍‌ ବିକଟ ଗର୍ଜନରେ ବଣଟା କମ୍ପିଗଲା । ବନ୍ଧୁ ଦୁହେଁ ନିରାପଦ ସ୍ଥାନରେ ଲୁଚି ରହିଲେ ।

 

କିଛି ସମୟ ପରେ ଦେଖିଲେ, ଦୁଇଟି ବଡ଼ ଗରିଲାଙ୍କ ମଧ୍ୟରେ ଯୁଦ୍ଧ ଲାଗିଯାଇଛି । ବୋଧହୁଏ ଦୁଇଟି ବିଭିନ୍ନ ଦଳର ଦୁହେଁ ନେତା । ତାଙ୍କ ଗର୍ଜନ ଓ ମୁଥ ମରାମରିରେ ସେ ସ୍ଥାନଟା ଦୁଲୁକୁଥାଏ ।

 

ବହୁ ସମୟ ଯୁଦ୍ଧ ହେଲାପରେ ଗୋଟାଏ ହାରି ପ୍ରାଣବିକଳରେ ପଳାଇଗଲା । ଆରଟା ଗର୍ବରେ ଫୁଲିଉଠି କିଛି ସମୟ ତାକୁ ଚାହିଁ ରହିଲା । ତା ପରେ ଫେରି ନିଜ ଦଳ ଆଡ଼କୁ ଚାଲିଗଲା-

 

ଜନ୍‌ ଓ ଡିନ୍‌ ଲୁଚି ବସି ସବୁ ଦେଖୁଥିଲେ । ଯୁଦ୍ଧ ଶେଷ ହେଲା, ବଣ ଥଣ୍ଡା ପଡ଼ିଲା; ତଥାପି ବନ୍ଧୁ ଦୁହିଙ୍କର ପଦାକୁ ଆସିବାକୁ ସାହସ ହେଲା ନାହିଁ ।

 

ପର ଦିନ ସକାଳୁ ଦୁହେଁ ବଣରୁ ପଳାଇ ଆସିବାକୁ ବାହାରିଲେ । ଅଳ୍ପ ବାଟ ଆସିଲା ପରେ ତାଙ୍କୁ ଗୋଟାଏ ବିକଳ ଶବ୍ଦ ଶୁଣାଗଲା—ଯେପରି କି ଗୋଟିଏ ମଣିଷପିଲା ଅସହାୟ ଅବସ୍ଥାରେ ପଡ଼ି କାନ୍ଦୁଛି ।

 

ଶବ୍ଦକୁ ଲକ୍ଷ୍ୟ କରି ସେ ଦୁହେଁ ଗୋଟିଏ ବୁଦାପାଖକୁ ଗଲେ । ଦେଖିଲେ, ସେଠାରେ ଗୋଟିଏ ଗରିଲାଛୁଆ ପଡ଼ି ଛଟପଟ ହେଉଅଛି । ତା ଦେହର କେତେକ ଜାଗା ଖଣ୍ଡିଆ ହୋଇଅଛି; ସେ ଉଠିପାରୁ ନାହିଁ । ଜନ୍‌ ନଇଁପଡ଼ି ସେ ଛୁଆଟିକୁ ଧରି ପକାଇଲେ । ସେ ନ ଆସିବାରୁ ଘୋଷାରି ଆଣିଲେ ଓ ସାଙ୍ଗେ ସାଙ୍ଗେ ତା ବେକରେ ଗୋଟାଏ ଜଞ୍ଜିର ବନ୍ଧିଦେଲେ । ଛୁଆଟା ବିକଳରେ ପାଟି କରୁଥାଏ ଓ ଛଟପଟ ହେଉଥାଏ ।

 

ଡିନ୍‌ ପ୍ରଥମେ ଛୁଆଟିକୁ ଛାଡ଼ିଦେବା ପାଇଁ କହିଲେ । ମାତ୍ର ଜନ୍‌ ତାଙ୍କ କଥାରେ ରାଜି ନ ହେବାରୁ, ତାଙ୍କ ହାତରୁ ଛୁଆଟିକୁ ନେଲେ । ତା ବେକରୁ ଲୁହାଜଞ୍ଜିର ଫିଟାଇ ଦେଲେ । ତା ଦେହର ଘାଆରେ ଓଷଦ ଲଗାଇଦେଲେ ଏବଂ ପାଖରେ ଯେଉଁ ବିସ୍କୁଟ ଓ ଗୁଣ୍ଡଦୁଧ ଥିଲା, ତାହା ତାକୁ ଖୁଆଇଦେଲେ ।

 

ଛୁଆଟା ଧରାପଡ଼ି ଯେପରି କେଁ କାଁ ହେଉଥିଲା, ଡିନ୍‌ ହାତରେ ରହି ଆଉ ସେପରି ହେଲା ନାହିଁ । ଖୁସିରେ ଡିନ୍‌ କୋଳରେ ବସି ଘୂମାଇଲା ।

 

ଡିନ୍‌ ପାଖରେ ବିନା ଆପତ୍ତିରେ ରହିଥାଏ, ମାତ୍ର ଜନ୍‌ ହାତ ବଢ଼ାଇଲେ ଭୟରେ କେଁ କାଁ କରିଉଠେ; ଜନ୍‌ ପାଖକୁ ଆଦୌ ଆସେ ନାହିଁ ।

 

ବନ୍ଧୁ ଦୁହେଁ ଦିନଯାକ ବହୁତ ବାଟ ଚାଲିଲେ । ରାତି ହେବା ପୂର୍ବରୁ ନଈକୂଳେ ଗୋଟିଏ ସୁବିଧା ସ୍ଥାନ ଦେଖି ତମ୍ୱୁ ପକାଇଲେ । ସେ ଯେଉଁ ଡଙ୍ଗାରେ ନଈଭିତରେ ଆସିଥିଲେ, ସେ ଡଙ୍ଗା ସେହିଠାରେ ବନ୍ଧା ହୋଇଥାଏ । ରାତି ପାହିଲେ ଡଙ୍ଗାରେ ବସି ଦେଶକୁ ଫେରି ଆସିବାର କଥା ।

 

ରାତିରେ ଗରିଲାଛୁଆର ଚେଁ ଚାଁ ଶବ୍ଦ ଶୁଣି ଡିନ୍‌ଙ୍କ ନିଦ ଭାଙ୍ଗିଗଲା । ସେ ଉଠିବସି ଦେଖିଲେ, ଗୋଟାଏ ବଡ଼ ଗରିଲା ତମ୍ୱୁର ଝରକା ପାଖେ ବସିଛି । ସେ ଛୁଆଟାକୁ ଧରିବାକୁ ହାତ ବଢ଼ାଉଛି; ମାତ୍ର ଲୁହା ଜାଲି ଥିବାରୁ ଧରିପାରୁ ନାହିଁ ।

 

ଡିନ୍‌ ଉଠି ବସିବାରୁ ଗରିଲାଛୁଆ ତାଙ୍କ ପାଖକୁ ଦଉଡ଼ିଗଲା । ଡିନ୍‌ ଛୁଆକୁ କୋଳରେ ଧରି କେତେ ଆଦର କଲେ । ବଡ଼ ଗରିଲାଟି ଝରକା ପାଖେ ବସି ସବୁ ଦେଖୁଥାଏ ।

 

କିଛି ସମୟପରେ ଡିନ୍‌ ତମ୍ୱୁଭିତରୁ ପଦାକୁ ଆସିଲେ । ଛୁଆଟି ତାଙ୍କ କୋଳରେ ଥାଏ । ଗରିଲା ପଦାରେ ଡିନ୍‌ଙ୍କୁ ଦେଖି ଗଛଉପରକୁ ଉଠିଗଲା । ଛୁଆଟି ଡିନ୍‌ କାନ୍ଧରୁ ଡେଇଁପଡ଼ି ବଡ଼ ଗରିଲା ପାଖକୁ ଗଲା । ସେ ଛୁଆକୁ କୋଳରେ ଧରି ଆଦର କଲା । କିଛି ସମୟ ପରେ ସେଠାରୁ ଛାଟିପିଟି ହୋଇ ଛୁଆ ଡିନ୍‌ ପାଖକୁ ପଳାଇ ଆସିଲା । ଡିନ୍‌ ବୁଝିପାରିଲେ ଯେ, ଏ ଗରିଲାଟି ଛୁଆର ମାଆ ।

 

ଏହିପରି ଛୁଆଟି ଡିନ୍‌ ପାଖରୁ ମା ପାଖକୁ ଓ ମା ପାଖରୁ ଡିନ୍‌ ପାଖକୁ ତିନି ଚାରିଥର ଯାଆସ କଲା । ଶେଷରେ ରାତି ପାହିଲା ବେଳକୁ ଛୁଆଟି ଆଉ ମା ପାଖରୁ ଆସିଲା ନାହିଁ । ମା ଛୁଆକୁ ଧରି ବଣଭିତରେ ଅଦୃଶ୍ୟ ହୋଇଗଲା ।

 

ସେ ଦିନ ଆଉ ବନ୍ଧୁ ଦୁହେଁ ସେ ସ୍ଥାନ ଛାଡ଼ିଲେ ନାହିଁ । ଛୁଆଟାକୁ ନେବାପାଇଁ ସେମାନଙ୍କର ଭାରି ଇଚ୍ଛା ଥିଲା । କାଳେ ଆଜି ରାତିରେ ଛୁଆଟି ଆସିବ, ସେହି ଆଶାରେ ରହିଗଲେ ।

 

ପରଦିନ ସକାଳୁ ଉଠି ଜନ୍‌ ଦେଖିଲେ ଯେ; ତମ୍ୱୁର ଗୋଟାଏ ଅଂଶ ଛିଡ଼ିଯାଇଛି; ଡିନ୍‌ ନାହାନ୍ତି । ଡିନ୍‌ଙ୍କୁ ନ ଦେଖି ତାଙ୍କ ମନରେ ବଡ଼ ଦୁଃଖ ହେଲା । ସେ ବନ୍ଧୁକ ଧରି ବଣଭିତରେ ଡିନ୍‌ଙ୍କୁ ଖୋଜିବାକୁ ଚାଲିଗଲେ ।

 

ସେ ଦିନର ପ୍ରାୟ ଦୁଇଟା ପର୍ଯ୍ୟନ୍ତ ବଣର ନାନା ସ୍ଥାନରେ ବୁଲିଲେ; ମାତ୍ର ଡିନ୍‌ଙ୍କୁ ପାଇଲେ ନାହିଁ । ନିରାଶ ହୋଇ ତମ୍ୱୁକୁ ଫେରିଆସି ଦେଖିଲେ ଯେ, ଡିନ୍‌ ନିଶ୍ଚିନ୍ତରେ ତମ୍ୱୁଭିତରେ ବସିଛନ୍ତି ।

 

ସେ ଜନ୍‌ଙ୍କୁ ଦେଖି ଗଲା ରାତି କଥା ବର୍ଣ୍ଣନା କଲେ । ସେ କହିଲେ, ‘‘କାଲି ମୁଁ ଶୋଇଥିବା ବେଳେ ଦୁଇଟି ଗରିଲା ଆସି ମୋତେ ଟେକି ନେଇଗଲେ । ଭୟରେ ମୋ ପାଟିରୁ ଶବ୍ଦ ବାହାରିଲା ନାହିଁ ।

 

ବଣର ଉତ୍ତର ଦିଗରେ ଗୋଟାଏ ବଡ଼ କଣ୍ଟାବୁଦା ଅଛି । ସେଠାରେ ମୁଁ ସାନ ବଡ଼ ଛଅଟି ଗରିଲା ଦେଖିଲି । ଆମେ ଯେଉଁ ଛୁଆଟାକୁ ଆଣିଥିଲେ, ସେ ମଧ୍ୟ ସେମାନଙ୍କ ସାଙ୍ଗରେ ରହିଛି । ସେମାନେ ବୋଧହୁଏ ଭାବିଛନ୍ତି ଯେ, ମୁଁ ମଣିଷ ନୁହେଁ; ସେମାନଙ୍କ ପରି ଗୋଟିଏ ଗରିଲା—ମଣିଷଙ୍କ ହାତରେ ବନ୍ଦୀ ହୋଇଛି । ସେ ଛୁଆଟି ତା ମାଆକୁ ବୋଧହୁଏ ଏହା ବୁଝାଇ ଦେଇଛି ।

ମୋତେ ଧରିନେଇ ସେଠାରେ ପହଞ୍ଚାଇ ଦେଲାକ୍ଷଣି, ମୁଁ ଭାବିଥିଲି, ମୋତେ ମାରିପକାଇବେ; ମାତ୍ର ସେ ଛୁଆଟିର ମା ମୋତେ କେତେ ଆଦର କଲା । ବଣ ଭିତରୁ ଗୁଡ଼ିଏ ଫଳ ଆଣି ଖାଇବାକୁ ଦେଲା । ମା ଯେପରି ପିଲାଙ୍କୁ ଖୁଆଇ ଦିଏ, ସେହିପରି ମୋତେ ଖୁଆଇଦେଲା । ମୋର ଇଚ୍ଛା ନ ଥିଲେ ମଧ୍ୟ ମୁଁ ବାଧ୍ୟ ହୋଇ ଖାଇଲି । ଭାବିଲି, ଯଦି ନ ଖାଇବି, ତେବେ ମୋତେ ମଣିଷ ଭାବି ମାରି ପକାଇବେ ।

ଆଜି ପ୍ରାୟ ଦଶଟା ପର୍ଯ୍ୟନ୍ତ ସେମାନେ ମୋତେ ଘେରି ବସି ରହିଥିଲେ । ତା ପରେ ଗୋଟି ଗୋଟି ହୋଇ କିଏ କୁଆଡ଼େ ଚାଲିଗଲେ । ଆମେ ଆଣିଥିବା ଛୁଆଟି ମୋ ପାଖରେ ରହିଥାଏ । ସବୁ ଗରିଲା ଚାଲିଗଲାରୁ ମୁଁ ପଳାଇ ଆସିବାକୁ ବସିଲି; ମାତ୍ର ସେ ଛୁଆ ମୋତେ ସହଜରେ ଛାଡ଼ିଦେଲା ନାହିଁ । ଥରକୁ ଥର ଦଉଡ଼ି ଆସି ମୋ ଗୋଡ଼ ଦୁଇଟି ଧରି ଅଟକାଏ, କାନ୍ଧ ଉପରକୁ ଉଠିଆସି କେତେ ଅନୁନୟ ବିନୟ କରେ ।

ଶେଷକୁ ତାକୁ ଟିକିଏ ଆଉଁସା ଆଉଁସି କରିଦେଲି । ହାତ ଠାରି ବୁଝାଇଦେଲି ଯେ, ବର୍ତ୍ତମାନ ମୁଁ ଫେରିଆସିବି । ସେ ମୋ କଥା ବୁଝିପାରି ଟିକିଏ ଥଣ୍ଡା ହେଲା । ମୁଁ ସାଙ୍ଗେ ସାଙ୍ଗେ ଏଠାକୁ ପଳାଇଆସିଲି ।

ଏହା ଶୁଣି ଜନ୍‌ କହିଲେ, ‘‘ଚାଲ, ବର୍ତ୍ତମାନ ଏଠାରୁ ପଳାଇଯିବା । ତା ନ ହେଲେ ଆଜି ରାତିରେ ଆସି ସେମାନେ ହୁଏ ତ ତୁମକୁ ନେଇଯିବେ ଏବଂ ମୋତେ ମାରି ପକାଇବେ ।’’

ଦୁଇ ବନ୍ଧୁ ଖିଆପିଆ ଭୁଲି ଜିନିଷପତ୍ର ବନ୍ଧାବନ୍ଧି କରି ନଈକୂଳକୁ ଆସିଲେ; ମାତ୍ର ସେଠାରେ ଦେଖିଲେ ଡଙ୍ଗାଟି ନାହିଁ । ଯିବେ କିପରି ?

ବହୁ ଖୋଜାଖୋଜି ପରେ ଖଣ୍ଡେଦୂରରେ ଶୁଖିଲାରେ ଡଙ୍ଗା ପଡ଼ିଥିବାର ଦେଖାଗଲା । ଡିନ୍‌ କହିଲେ, ‘‘ଏହା କେବଳ ସେହି ଗରିଲାଙ୍କ କାଣ୍ଡ । ଦୁଷ୍ଟବୁଦ୍ଧିରେ ସେମାନେ ମଣିଷଙ୍କଠାରୁ ବି ବଳି ଓସ୍ତାତ୍‌ । ନଈରେ ଗୋଟିଏ ଏପରି ଜିନିଷ ଦେଖି ସେମାନେ କଅଣ ଭାବିଲେ କେଜାଣି, ଘୋଷାରି କରି ଏତେ ଦୂରରେ ନେଇ ଫିଙ୍ଗି ଦେଇଅଛନ୍ତି ।’’

ଜନ୍‌ ଓ ଡିନ୍‌ ବହୁ କଷ୍ଟରେ ଡଙ୍ଗାଟିକୁ ଟାଣି ଟାଣି ଆଣି ନଈରେ ପକାଇଲେ । ସେଥିରେ ଜିନିଷପତ୍ର ଲଦି ଡଙ୍ଗାଟି ସାଙ୍ଗେ ସାଙ୍ଗେ ଛାଡ଼ିଦେଲେ । ଜନ୍‌ଙ୍କର ସେଠାରେ ସେ ରାତିଟା ରହିବାକୁ ଇଚ୍ଛା ହେଉଥିଲା; ଗରିଲାଛୁଆ ଲୋଭ ସେ ଛାଡ଼ିପାରୁ ନ ଥିଲେ । ମାତ୍ର ଡିନ୍‌ କହିଲେ, ‘‘ନା, ଆଜି ରାତିକ ମଧ୍ୟରେ ଅନ୍ତତଃ ଏ ବଣର ସୀମା ପାର ହେବା ଦରକାର । ତା ନ ହେଲେ ତୁମେ ଆଉ ମୋତେ ପାଇବ ନାହିଁ । ଗରିଲାଛୁଆକୁ ତ ଆଉ ଫେରିପାଇବ ନାହିଁ, ତା ସଙ୍ଗେ ସଙ୍ଗେ ମୋତେ ମଧ୍ୟ ହରାଇବାକୁ ପଡ଼ିବ ।’’

ଏହି କଥାରେ ଜନ୍‌ ସେଠାରେ ଆଉ ରହିବା ଆଶା ଛାଡ଼ି ଦେଲେ । ଦୁହେଁ ମିଳି ଖୁବ୍‌ ଜୋରରେ ଡଙ୍ଗା ଚଳାଇଲେ ।

Image